ବାରିପଦା ପୌରପାଳିକା ପକ୍ଷରୁ ମେଗା ରକ୍ତଦାନ ଶିବିର :ଓଡ଼ିଶା ପୌରପାଳିକା ଇତିହାସରେ ସର୍ବକାଳୀନ ରେକର୍ଡ:-ସଂଗୃହୀତ ହେଲା ରେକର୍ଡ଼ ସଂଖ୍ୟକ ୭୧୬ ୟୁନିଟ ରକ୍ତ/୫୫ଜଣ ମହିଳା କଲେ ସ୍ୱେଚ୍ଛାକୃତ ରକ୍ତଦାନ
ବାରିପଦା: ନିଖିଲ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଓଡ଼ିଶା ପୌରପାଳିକା ଇତିହାସରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବାରିପଦା ପୌରପାଳିକା ପକ୍ଷରୁ ଗୁରୁବାର ଆୟୋଜିତ ମେଗା ରକ୍ତଦାନ ଶିବିରରେ ରେକର୍ଡ଼ ସଂଖ୍ୟକ ରକ୍ତ ସଂଗୃହିତ ହୋଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଓ ଆଗଧାଡିର ସମାଜସେବୀ ତଥା ରକ୍ତଦାତା ସଂଗଠକ ଅମର ସେଠୀ ଙ୍କ ପୂର୍ଣ୍ଣସହଯୋଗରେ ଆଜି ବାରିପଦା ପୌରପାଳିକା କଲ୍ୟାଣ ମଣ୍ଡପ, ରୋଟାରୀ କ୍ଲବ ଓ ମୟୂରଭଂଜ ଏଥେଲେଟିକ ଆସୋସିଏସନ୍ ସଭା ଗୃହରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ଭାବେ ବାରିପଦା ତହସିଲଦାର ସପନ ସାହୁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସପନ ସାହୁ ଯୋଗ ଦେଇ ଉଦଘାଟିତ କରିଥିଲେ। ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ବାରିପଦା ତହସିଲଦାର ସପନ ସାହୁ ନିଜେ ଶିବିରରେ ରକ୍ତଦାନ କରିଥିଲେ। ଶିବିରରେ ମୋଟ ୭୧୬ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଯାହାକି ଓଡ଼ିଶା ପୌରପାଳିକା ଇତିହାସରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇଛି। ସେଥି ମଧ୍ୟରେ ୫୫ଜଣ ମହିଳା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଯାହାକି ପୌରପାଳିକା ଇତିହାସରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବାରିପଦା ପୌରପାଳିକା ଚଳିତ ପରିଷଦ ୨୦୨୨ରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ରକ୍ତ ଅଭାବ ଜନିତ ସମସ୍ୟାକୁ ଦୁରୀଭୂତ କରିବା ପାଇଁ ମହତ୍ ଉଦ୍ଦେଶ୍ୟ ନେଇ ପୋୖରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହେଉଛି। ୨୦୨୨ ମସିହାରେ ୩୨୩, ୨୦୨୩ ମସିହାରେ ୪୦୩, ୨୦୨୪ ମସିହାରେ ୪୬୩, ୨୦୨୫ ମସିହାରେ ୬୫୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ୨୦୨୬ ମସିହାରେ ୭୧୬ ୟୁନିଟ ରକ୍ତ ସଂଗ୍ରହ କରି ରାଜ୍ୟସ୍ତରରେ ବାରିପଦା ପୌରପାଳିକାର ନାମ ଇତିହାସ ସୃଷ୍ଟି କରିଛି। ସ୍ୱେଚ୍ଛାକୃତ ଭାବେ ଦୁଇଟି ପରିବାର ଲୋକେ ଶିବିରରେ ରକ୍ତଦାନ କରିଛନ୍ତି। ଶାଶୁ ତଥା ୱାର୍ଡ଼ କାଉନସିଲର ଅମ୍ବିକା ସାହୁ ଓ ତାଙ୍କ ଜ୍ୱାଇଁ ଅନିମେଷ ମଢୁଆଳ ଏବଂ ଅନ୍ୟ ଏକ ପରିବାରର ବାପା ଦିବାକର ସ୍ୱାଇଁ, ବୋହୁ ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓ ପୁଅ ପ୍ରଦୀପ କୁମାର ସ୍ୱାଇଁ ରକ୍ତଦାନ କରିଛନ୍ତି। ନଗରପାଳ ଶ୍ରୀ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ବାରିପଦା ପୌରାଞ୍ଚଳର ୨୮ଗୋଟି ୱାର୍ଡର ଜନସାଧାରଣ, ଯୁବକ, ଯୁବତୀ, ମହିଳା, ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ରେଡକ୍ରସ ପକ୍ଷରୁ ଆଜୀବନ ସଦସ୍ୟ ଅମର ସେଠୀ, ବାରିପଦା ରକ୍ତ ଭଣ୍ଡାର ଏବଂ ଉଦଳା ରକ୍ତ ଭଣ୍ଡାର କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ। ରକ୍ତଦାନ ଶିବିରରେ ଉପ ନଗରପାଳ ସୀମା ଦାସ ଏବଂ ସମସ୍ତ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତଙ୍କ ସହଯୋଗରେ ମେଗା ରକ୍ତଦାନ ଶିବିର ସଫଳ ହୋଇଛି। ଏଥିପାଇଁ ନଗରପାଳ ଶ୍ରୀ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0