ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

Jul 23, 2026 - 16:24
 0  18
ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

-'ଉନ୍ମେଷ' କାର୍ଯ୍ୟକ୍ରମରେ ଚଳିତ ବର୍ଷ ୨୦୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ହେବେ ସାମିଲ -ଜୁଲାଇ ୨୮ରେ 'ଉନ୍ମେଷ' ପ୍ରବେଶିକା ପରୀକ୍ଷା -ପ୍ରୋଢ଼ ଶିକ୍ଷାକୁ ବ୍ୟାପକ କରିବା ପାଇଁ 'ଉଲ୍ଲାସ' କାର୍ଯ୍ୟକ୍ରମରେ ସାମିଲ ହେବ ୫୦,୦୦୦ ରୁ ଉର୍ଦ୍ଧ୍ୱ *ଝାରସୁଗୁଡ଼ା, ୨୩।୭(ଫାଷ୍ଟ ନ୍ୟୂଜ ଓଡ଼ିଶା):* ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ସାର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚାଲୁରହିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଶିକ୍ଷଣ ଫଳାଫଳ ଏବଂ 'ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ' ର ସୁଧାର ଉପରେ ବିଶେଷ ଗୁରୁତ୍ବ ଆରୋପ କରାଯାଇଥିଲା। ବିଶେଷକରି ଦଶମ ଶ୍ରେଣୀ ମେଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଆହୁରି ଉନ୍ନତ କରିବା ପାଇଁ ଜିଲ୍ଲାପାଳ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ 'ଉନ୍ମେଷ' କାର୍ଯ୍ୟକ୍ରମ ମାଧ୍ୟମରେ ମନୋନୀତ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୬ ଜଣ A1 Grade (୯୦% ରୁ ଅଧିକ ମାର୍କ) ରଖି ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ଏହି ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୦୦ ବଦଳରେ ୨୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 'ଉନ୍ମେଷ' କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଚୟନ ପ୍ରକ୍ରିୟା ପାଇଁ ଆସନ୍ତା ଜୁଲାଇ ୨୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୯ମ ଶ୍ରେଣୀ ପରୀକ୍ଷାରେ ୬୦% କିମ୍ବା ତା'ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ବ୍ୟତୀତ ପ୍ରାଥମିକ ଶିକ୍ଷା ସ୍ତରରେ ସୁଧାର ଆଣିବା ପାଇଁ 'ଉଦିଆଁ ତାରା' କାର୍ଯ୍ୟକ୍ରମର ମଧ୍ୟ ବିଶେଷ ସମୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୩ ତାରିଖରେ 'ଶିଶୁ ବଟିକା' ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର 'ବେସଲାଇନ୍ ଆସେସମେଣ୍ଟ' ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ପଢ଼ିବାରେ ପଛୁଆ ଥିବା ବା ଶିକ୍ଷାର୍ଥୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଶିକ୍ଷଣ ସ୍ତରରେ ଅଧିକ ଉନ୍ନତି ଆଣିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସମସ୍ତ ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ସ୍କୁଲରୁ ଡ୍ରପଆଉଟ୍ (ଅଧାରୁ ସ୍କୁଲ ଛାଡୁଥିବା ଛାତ୍ରଛାତ୍ରୀ) ହାର ସମ୍ପୂର୍ଣ୍ଣ କମାଇବା ଏବଂ ପ୍ରୋଢ଼ ଶିକ୍ଷାକୁ ବ୍ୟାପକ କରିବା ପାଇଁ 'ଉଲ୍ଲାସ' କାର୍ଯ୍ୟକ୍ରମରେ ଜିଲ୍ଲାର ୫୦,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ତୁରନ୍ତ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ