*ମାଲକାନଗିରିରେ ଜାତୀୟ ପ୍ରେସ ଦିବସ: ସୁସ୍ଥ ଗଣତନ୍ତ୍ର ଗଠନରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ*

Nov 16, 2026 - 16:05
 0  12
*ମାଲକାନଗିରିରେ ଜାତୀୟ ପ୍ରେସ ଦିବସ: ସୁସ୍ଥ ଗଣତନ୍ତ୍ର ଗଠନରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ*

*ମାଲକାନଗିରି, ୧୬/୧୧/୨୦୨୬:* ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ଅଧିକାରୀ ହନିତ୍ କୁମାର ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଶ୍ରୀ ପ୍ରଧାନ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସୁଦୃଢ଼ ସେତୁ ଭଳି କାର୍ଯ୍ୟ କରେ। ସମାଜର ପ୍ରଗତି ପାଇଁ ଆମ ସମସ୍ତଙ୍କ ମଧ୍ୟରେ କର୍ତ୍ତବ୍ୟବୋଧ ଓ ଦାୟିତ୍ୱବୋଧ ରହିବା ଅତ୍ୟନ୍ତ ଜରୁରୀ, କାରଣ ନିରପେକ୍ଷ ଓ ସତ୍ୟନିଷ୍ଠ ସମ୍ବାଦ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ମୂଳଦୁଆ । ସେହିପରି ମୁଖ୍ୟ ବକ୍ତା ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କୁମାର ଭାରତୀୟ ସାମ୍ବାଦିକତାର ଗୌରବମୟ ଇତିହାସକୁ ସ୍ମରଣ କରି ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ରାଷ୍ଟ୍ରଗୁରୁ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଯୋଗ୍ୟ ଉତ୍ତରାଧିକାରୀ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ସମୟରେ ସୁରେନ୍ଦ୍ରନାଥ ବାନାର୍ଜୀ ଯେଉଁଭଳି ଭାବେ ନିର୍ଭୀକ ସାମ୍ବାଦିକତା ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିଥିଲେ, ଆଜିର ସାମ୍ବାଦିକମାନେ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ପ୍ରକୃତ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଜାତୀୟ ପ୍ରେସ ଦିବସ ଗଣମାଧ୍ୟମର ସ୍ୱାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱବୋଧର ପ୍ରତୀକ। ପ୍ରଶାସନିକ ସ୍ୱଚ୍ଛତା ବଜାୟ ରଖିବା ଏବଂ ସରକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଗଣମାଧ୍ୟମର ସହଯୋଗ ଅତୁଳନୀୟ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଦୁର୍ଯ୍ୟୋଧନ ପାତ୍ର, ଦେବ ପ୍ରସାଦ ଦାସ, ପ୍ରେମେନ୍ଦ୍ର ପରିଚ୍ଛା, ଦେବବ୍ରତ ସାନା, ଅଶୋକ ମିଶ୍ର, ସନ୍ତୋଷ ନାଗ, ଶିବୁ ପ୍ରସାଦ କିର୍ତ୍ତନିଆ, ଭଗବାନ ସାହୁ, ଏ ଈଶ୍ୱର ରାଓ, ସୁଶାନ୍ତ ସାମଲ ଓ ବଳରାମ ଭଞ୍ଜ ନିଜର ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକମାନେ ମତ ରଖି କହିଥିଲେ ଯେ ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଭ୍ରାମକ ତଥ୍ୟର ପ୍ରସାର ବଢ଼ୁଥିବା ବେଳେ ମୁଖ୍ୟସ୍ରୋତ ଗଣମାଧ୍ୟମର ଦାୟିତ୍ୱ ଆହୁରି ବଢ଼ିଯାଇଛି। କେବଳ ଲୋକପ୍ରିୟତା ପଛରେ ନ ଗୋଡ଼ାଇ ତଥ୍ୟଭିତ୍ତିକ ଓ ସତ୍ୟ ସମ୍ବାଦ ପରିବେଷଣ କଲେ ହିଁ ପାଠକଙ୍କ ବିଶ୍ୱାସ ଅତୁଟ ରହିପାରିବ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ