ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ଅଭିଭାଷଣ
ରାଇରଙ୍ଗପୁର ୨୦ ଜୁନ୍ ୨୦୨୬ ସମସ୍ତଙ୍କୁ ମୋର ନମସ୍କାର, ଜୁହାର ଆଉ ଅଭିନନ୍ଦନ । ଆଜିର ଏହି ମୂହୁର୍ତ୍ତଟି ଓଡ଼ିଶା ଇତିହାସର ଏକ ସ୍ବର୍ଣ୍ଣାଭ କ୍ଷଣ । ଆଜିର ଏହି ଐତିହାସିକ ଦିନ ଓଡ଼ିଶା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଗୋଟିଏ ମଞ୍ଚରେ ଦେଶର ମହାମହିମ ରାଷ୍ଟ୍ରପତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ଏକ ବିଶେଷ ଅବସରକୁ ପାଳନ କରିବା ନିଶ୍ଚିତ ଭାବେ ଓଡିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ସର୍ବପ୍ରଥମେ ମହାମହିମ ରାଷ୍ଟ୍ରପତିଙ୍କ ୬୮ତମ ଶୁଭ ଜନ୍ମଦିନରେ ମୁଁ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ମୁଁ ମହାମହିମ ରାଷ୍ଟ୍ରପତି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସ୍ୱାଗତ କରୁଛି । ମହାମହିମ ରାଷ୍ଟ୍ରପତି ମହୋଦୟା, ଆପଣଙ୍କ ସାରା ଜୀବନ ମା’ ଭାରତୀର ସେବାରେ ଉତ୍ସର୍ଗୀକୃତ । ତ୍ୟାଗ, ସେବା ଓ ସମର୍ପଣର ଆପଣ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ । ଆପଣଙ୍କ ଶାନ୍ତ, ସରଳ ଜୀବନ ହେଉଛି ଏକ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ । ଏହି ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଜନଜାତି ଅଧ୍ୟୁଷିତ ଗ୍ରାମରୁ ଜୀବନର ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା କୌଣସି ଏକ ଚମତ୍କାର ନୁହେଁ, ଏହା ଆପଣଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଜନସେବା ଏବଂ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଆପଣଙ୍କ ପୂର୍ଣ୍ଣ ବିଶ୍ବାସ । ଆପଣ ସାରା ଦେଶର ମହିଳାଙ୍କ ପାଇଁ ପ୍ରେରଣାର ଏକ ମହାନ୍ ଉତ୍ସ । ଆଜିର ଏହି ପବିତ୍ର ଅବସରରେ ମୁଁ ଆପଣଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ପାଇଁ ସୁଖ, ଶାନ୍ତି କାମନା କରୁଛି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଆପଣଙ୍କ ଜନ୍ମ ଦିବସକୁ ଆହୁରି ଗୌରବମୟ କରିଛନ୍ତି । ମୁଁ, ସମସ୍ତ ଓଡିଶାବାସୀଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି । ମାନନୀୟ ପ୍ରଧାନମନ୍ତ୍ରୀ ଜୀ, ଆମ ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ, ଆପଣଙ୍କର ସଦୟ ଉପସ୍ଥିତି ପାଇଁ, ମୁଁ ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ସରକାରଙ୍କ ଶପଥ ଗ୍ରହଣ ସମାରୋହଠାରୁ ଆରମ୍ଭ କରି, ପ୍ରଥମ ବର୍ଷ ପୂରଣ ଏବଂ ଆଜିର ଏହି ଦୁଇ ବର୍ଷ ପୂରଣ ଅବସର ପର୍ଯ୍ୟନ୍ତ, ଆପଣ ଆଠ ଥର ଓଡ଼ିଶା ଆସିଛନ୍ତି। ପ୍ରତ୍ୟେକ ଥର, ଓଡ଼ିଶା ପାଇଁ, ଆପଣ ଅମାପ ଭଲପାଇବା ସହିତ ବିକାଶର ଅନେକ ଭେଟି ନେଇ ଆସିଛନ୍ତି। ଓଡ଼ିଶା ପାଇଁ ଆପଣଙ୍କର ଭରସା, ଆପଣଙ୍କର ଭଲପାଇବା, ଆପଣଙ୍କର ସହଯୋଗ, ଆମ ପାଇଁ ସବୁଠାରୁ ବଡ଼ ପୁଞ୍ଜି ଅଟେ। କିଛି ଦିନ ପୂର୍ବରୁ, କେନ୍ଦ୍ରରେ ଆପଣଙ୍କ ସରକାର, ସେବା, ସୁଶାସନ ଏବଂ ଭାରତର ଗୌରବମୟ ଦିନର ୧୨ ବର୍ଷ ପୂରଣ କରିଛନ୍ତି। ମୋତେ କହିବାରେ କୌଣସି ସଙ୍କୋଚ ନାହିଁ, ବରଂ ଗର୍ବର ସହ କହୁଛି ଯେ, ବିଗତ ୧୨ ବର୍ଷ ଦେଶ ପାଇଁ ଏପରି ଏକ ସମୟ ଯାହାର ତୁଳନା ନାହିଁ। ୨୦୧୪ ପରେ, ଆପଣ ଯେଉଁ ସବୁ ଯୋଜନା ପ୍ରଣୟନ କରିଛନ୍ତି, ତାହା ବଳରେ ଦେଶର ପ୍ରତ୍ୟେକ ବର୍ଗଙ୍କ ପାଇଁ ଅଳ୍ପ କିଛି ନୁହେଁ, ବରଂ ବହୁତ କିଛି ଲାଭ ମିଳିଛି। ବହୁତ କମ୍ ଦିନ ମଧ୍ୟରେ, ଆମ ସରକାର ଅନେକ ଗୁଡ଼ିଏ କଲ୍ୟାଣକାରୀ ଯୋଜନା- ଯେପରିକି ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା; ଚାଷୀ ମାନଙ୍କ ପାଇଁ କୃଷକ ସମୃଦ୍ଧି ଯୋଜନା, ସ୍କୁଲ ପିଲାମାନଙ୍କ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ବରିଷ୍ଠ ନାଗରିକମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଏବଂ ରାଜ୍ୟବାସୀଙ୍କ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ବୋଧହୁଏ ଦେଶର ପ୍ରଥମ ରାଜ୍ୟ ଅଟେ। ଆପଣଙ୍କ ମାର୍ଗଦର୍ଶନ, ଆମ ପାଇଁ ପ୍ରେରଣାର ଉତ୍ସ ଅଟେ। ଆପଣଙ୍କର ପ୍ରତିଟି ପାଦ ସହିତ, ଆମେ ପାଦ ମିଶାଇ ଚାଲିବୁ ଏବଂ ବିକଶିତ ଓଡ଼ିଶା, ବିକଶିତ ଭାରତର ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବୁ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0