ନଗଦ ୫୫ ହଜାର ଟଙ୍କା, ବାଇକ୍ ଓ ଛୁରୀ ଜବତ; ତଦନ୍ତ ଜାରି ଆଉ ଜଣେ ଗିରଫ
ଝରିଗାଁ, ୧୨/୯: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବଣୁଆଗୁଡ଼ା ପଞ୍ଚାୟତ ଅଧୀନ ରାଜାମୁଣ୍ଡା ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ଝରିଗାଁ ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଦେଉଳକୋଣା ଗ୍ରାମର ମାନସିଂ ହରିଜନ (୨୫) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ମାନସିଂଙ୍କଠାରୁ ନଗଦ ୫୫ ହଜାର ଟଙ୍କା, ଗୋଟିଏ ବାଇକ୍ ଓ ଗୋଟିଏ ଛୁରୀ ଜବତ କରାଯାଇଛି। ଏହି ମାମଲାରେ ପୂର୍ବରୁ ଚଳିତ ମାସ ୪ ତାରିଖରେ ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉକି, ଗତ ଜୁଲାଇ ମାସରେ ବିଳମ୍ବିତ ରାତିରେ ରାଜାମୁଣ୍ଡା ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଡକାୟତି ଘଟିଥିଲା। ଏ ନେଇ ଲକ୍ଷ୍ମଣ ଠାକୁର ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ସମେତ ପ୍ରାୟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିଲା। ମାମଲାର ତଦନ୍ତ ସମୟରେ ପୁଲିସ ପୂର୍ବରୁ ନଗଦ ଟଙ୍କା, ମୋବାଇଲ୍ ଫୋନ୍ ସହ ଖଣ୍ଡା, ଭୁଜାଲି, ଛୁରୀ ଓ ଲୁହାଛଡ଼ ଆଦି ଜବତ କରିଥିବା ସୂଚନା ରହିଛି। ନବରଙ୍ଗପୁର ଏସ୍ପି କୋଶଳ ପାର୍ଥ ଜଗଦୀଶଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ସୁବେନ୍ଦୁ କୁମାର ସବରଙ୍କ ତତ୍ତ୍ୱାବଧାନରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡ଼କାମୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ମାମଲାର ତଦନ୍ତ କରୁଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଧରାପଡ଼ିନଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0