ସ୍ନେହର ସଂଘର୍ଷରେ ହାରିଗଲା ଜୀବନ ଭାଇକୁ ବଞ୍ଚାଇବାକୁ ଯାଇ ଭାସିଗଲା ଦିବ୍ୟାଙ୍ଗ ଭଉଣୀ
ବାରିପଦା (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) : ଭାଇ ପାଣିର ସୁଅରେ ଭାସିଯାଉଥିବା ଦେଖି ନିଜ ଅକ୍ଷମତାକୁ ବି ଭୁଲିଗଲା ଭଉଣୀ। ଭାଇକୁ ବଞ୍ଚାଇବାର ବ୍ୟାକୁଳତାରେ ମୃତ୍ୟୁର ପ୍ରଖର ସୁଅ ଭିତରକୁ ଓହ୍ଲାଇଗଲା। ହେଲେ ନିଷ୍ଠୁର ନିୟତି ଆଗରେ ହାରିଗଲା ଭାଇ-ଭଉଣୀଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହ୍ଲାରପଦା ଗ୍ରାମରେ। ସୂଚନା ଅନୁସାରେ, ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଓ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଘରେ ଏକାଠି ରହୁଥିଲେ। ପରସ୍ପରର ସାହାରା ଥିଲେ ଉଭୟ। ତେବେ ଘର ନିକଟରେ ପ୍ରବାହିତ ନାଲୁହା ନଦୀର କେନାଲରେ ଅସାବଧାନତାବଶତଃ ପଡ଼ି ଯାଇଥିଲେ ପରମେଶ୍ୱର। ପାଣିର ପ୍ରଖର ସୁଅରେ ଭାଇ ଭାସିଯାଉଥିବା ଦେଖି ନିଜ ଅକ୍ଷମତାକୁ ଖାତିର ନକରି ତାଙ୍କୁ ଉଦ୍ଧାର କରିବାକୁ କେନାଲ ଭିତରକୁ ଓହ୍ଲାଇଥିଲେ ନନ୍ଦିନୀ। କିନ୍ତୁ ଭାଇକୁ ବଞ୍ଚାଇବାର ସେହି ଶେଷ ପ୍ରୟାସ ହିଁ ତାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଗଲା। ପ୍ରଖର ପାଣି ସୁଅରେ ଭାସିଯାଇଥିଲେ ନନ୍ଦିନୀ। ଘରଠାରୁ ପ୍ରାୟ ଏକ କିଲୋମିଟର ଦୂର କରକଚିଆ ପୋଲ ନିକଟରେ ନନ୍ଦିନୀଙ୍କ ମୃତଦେହ ଅଟକିଥିବା ବେଳେ, ଭିନ୍ନ ସ୍ଥାନରେ ପରମେଶ୍ୱରଙ୍କ ମୃତଦେହ ଠାବ ହୋଇଥିଲା। ସକାଳୁ ଦୁଇଟି ଭିନ୍ନ ସ୍ଥାନରେ ଦୁଇ ଭାଇ-ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଖବର ପାଇ ଖୁଣ୍ଟା ଅଗ୍ନିଶମ ବାହିନୀ ପହଞ୍ଚି ମହ୍ଲାରପଦା କେନାଲରୁ ପରମେଶ୍ୱର ଏବଂ କରକଚିଆ ନାଲୁହା ନଦୀରୁ ନନ୍ଦିନୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯେଉଁ ଘରେ ଦିନେ ଭାଇ-ଭଉଣୀଙ୍କ ହସ ଶୁଭୁଥିଲା, ଆଜି ସେହି ଘର ନୀରବ। ଭାଇକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଥିବା ଦିବ୍ୟାଙ୍ଗ ଭଉଣୀର ଏହି ଶେଷ ପ୍ରୟାସ ଓ ଦୁଇ ଭାଇ-ଭଉଣୀଙ୍କ କରୁଣ ବିଦାୟ ସମଗ୍ର ଅଞ୍ଚଳକୁ ଶୋକରେ ବୁଡ଼ାଇ ଦେଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0