ଝାରସୁଗୁଡ଼ାରେ ଟ୍ରାଫିକ ନିୟମ କଡ଼ାକଡ଼ି; ୭୦ଟି ଗାଡ଼ିର ଚାଲାଣ କାଟିଲା ଆଞ୍ଚଳିକ ପରିବହନ ବିଭାଗ
ଝାରସୁଗୁଡ଼ା, ୧୦/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଉଅଛି। ଆଜି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗୌରହରି ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇ ରାଜପଥରେ ନିୟମ ଉଲ୍ଲଂଘନ କରୁଥିବା ମୋଟ ୭୦ଟି ଯାନବାହାନ ବିରୋଧରେ ଚାଲାଣ କଟାଯାଇଛି। ଏହି ଚଢ଼ାଉ ଅଭିଯାନ ମୁଖ୍ୟତଃ ରାଜ୍ୟ ରାଜପଥ-୧୦ର ବେହେରାପାଟ୍ ଏବଂ ବଡ଼ମାଲ ଆଦି ଅଞ୍ଚଳରେ ପରିଚାଳିତ ହୋଇଥିଲା। ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା, ମାଲବାହୀ ଯାନରେ ଯାତ୍ରୀ ପରିବହନ କରିବା, ବିନା ହେଲମେଟ, ଦ୍ରୁତ ଗତି, ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ଅଭାବ, ଏବଂ ଓଭରଲୋଡିଂ ଭଳି ନିୟମ ଅମାନ୍ୟ କରୁଥିବା ଗାଡ଼ିଗୁଡ଼ିକ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାସ୍ତାଘାଟରେ ସୁରକ୍ଷିତ ଯାତାୟାତ ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଆର.ଟି.ଓ. ଶ୍ରୀ ହାଁସଦା ସୂଚନା ଦେଇଛନ୍ତି। ବିଶେଷ କରି ଝାରସୁଗୁଡ଼ା ପୌରାଞ୍ଚଳ ଭିତରେ ଜନଗହଳିପୂର୍ଣ୍ଣ ରାସ୍ତାଗୁଡ଼ିକରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯିବ। ସମସ୍ତ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମାବଳୀର କଡ଼ାପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରାଯାଇଛି।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0