କନ୍ଧମାଳ ଦାରିଙ୍ଗବାଡି ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତା ସିଲ୍
ଦାରିଙ୍ଗବାଡି ୧୯/୧୧/୦୨୬(ସଲମନ୍ ବିନ୍ଧାଣୀ)ପୁଣି ଭୟ ଦେଖାଉଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ସୂଚନା ଦେଲେ ଜିଲା ପ୍ରଶାସନ। ଏହାର ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ିସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାକୁ ଉଭୟ ପଟୁ ସିଲ କରିଛନ୍ତି ଦାରିଙ୍ଗବାଡି ବ୍ଲକ ପ୍ରଶାସନ୍। ଯାହା ଫଳରେ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗାଜଲବାଡ଼ି ପଟେ ସୋରଡ଼ା ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ସ୍ବତନ୍ତ୍ର ପୋଲିସ ବାହିନୀ ମୁତୟନ ହୋଇ ଯାନବାହନକୁ ଅଟକାଉଛନ୍ତି। ସେହିପରି କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ବାଇମାଲା ଚେକ୍ଗେଟ ନିକଟରେ ରାସ୍ତା ସିଲ କରାଯାଇଛି। ସେଠାରେ ମଧ୍ୟ ପୁଲିସ ମୁତୟନ ରହି ଗାଡ଼ିମୋଟର ଚଳାଚଳକୁ ଯିବାକୁ ମନା କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଲେ ଭୂସ୍ଖଳନ, ପାହାଡ଼ରୁ ପଥର ଓ ମାଟି ଧସିବା ସହ ରାସ୍ତା ଓ ପୋଲର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପାହାଡ଼ିଆ ଓ ଦୁର୍ବଳ ଭୂମି ଦେଇ ଯାଇଥିବା ଏହି ରାସ୍ତାରେ ଯାତାୟାତ ଯାତ୍ରୀ ଓ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ। ଅନ୍ୟପକ୍ଷରେ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଗଞ୍ଜାମରୁ କନ୍ଧମାଳ ଜିଲାକୁ ନିୟମିତ ଆସୁଥିବା ରାସନ, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ ପ୍ରଭାବିତ ହୋଇ ପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗତ ୨୯ ତାରିଖରେ ଏହି ଘାଟି ରାସ୍ତାରେ ଭୂସ୍ଖଳନ ହୋଇଥିଲା। ଏଥିସହ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଅଡ଼ଙ୍ଗୀ ନଦୀ ନିକଟରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ଧୋଇ ହୋଇଯାଇଥିଲା। ପରେ ମରାମତି କରାଯାଇ ଚଳିତ ମାସ ୬ ତାରିଖଠାରୁ କେବଳ ହାଲୁକା ଯାନ ଚଳାଚଳକୁ ଅନୁମତି ମିଳିଥିଲା। ତେବେ ଯାତ୍ରୀବାହୀ ବସ ଓ ଭାରୀଯାନ ଚଳାଚଳ ଉପରେ ପୂର୍ବରୁ ହିଁ କଟକଣା ଜାରି ରହିଥିଲା। ଏବେ ପୁଣି ଏକ ବାତ୍ୟାର ଆଶଙ୍କା ଦେଖାଦେବା ପରେ ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଘାଟି ଅଞ୍ଚଳରେ ଯାତାୟାତକୁ ପ୍ରଭାବିତ କରିଛି। ତେବେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାସ୍ତା ବନ୍ଦ ରଖାଯାଇଥିବାରୁ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ଏଣୁ ସମସ୍ତେ ଜନ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ କରି ନିଜକୁ ସୁରକ୍ଷା କରିବା ସହିତ ଅନ୍ୟକୁ ମଧ୍ଯ ସୁରକ୍ଷା ଦିଅନ୍ତୁ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0