ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ:ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ କରୁ ସାମ୍ବାଦିକତା: ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ

Nov 16, 2026 - 20:41
 0  25
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ:ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ କରୁ ସାମ୍ବାଦିକତା: ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ

ବାରିପଦା, ୧୬/୧୧: ସାମ୍ବାଦିକତା କେବଳ ସମ୍ବାଦ ପରିବେଷଣର ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ସମାଜକୁ ସଚେତନ ଓ ଉତ୍ତରଦାୟୀ କରିବାର ଏକ ଶକ୍ତିଶାଳୀ ମାଧ୍ୟମ । ନିରପେକ୍ଷତା, ସତ୍ୟନିଷ୍ଠା, ନୈତିକତା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱକୁ ପ୍ରାଥମିକତା ଦେଇ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ ବୋଲି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହ-୨୦୨୬ରେ ମତପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ନା ଦାୟିତ୍ୱବୋଧ’ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ ଗୋଚ୍ଛାୟତ ଯୋଗଦେଇ ସାମ୍ବାଦିକତାର ସାମାଜିକ ଦାୟିତ୍ୱ ଓ ଗଣତନ୍ତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ କହିଥିଲେ ଯେ, ସାମ୍ବାଦିକତା ସମାଜର ଏକ ଦର୍ପଣ, ଯାହା ସମାଜର ବାସ୍ତବ ଚିତ୍ର, ଜନସାଧାରଣଙ୍କ ସମସ୍ୟା ଓ ଆଶାଆକାଂକ୍ଷାକୁ ପ୍ରତିଫଳିତ କରିଥାଏ । ଗଣମାଧ୍ୟମର ସକ୍ରିୟତା ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାରେ ସହାୟକ ହୋଇଥାଏ । ତେଣୁ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କଲେ ସାମ୍ବାଦିକତା ନିଶ୍ଚୟ ଲୋକପ୍ରିୟତା ହାସଲ କରି ପାରିବ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଶ୍ରୀ ଗୋଚ୍ଛାୟତ ତଥ୍ୟର ସତ୍ୟତା ଯାଞ୍ଚ ଓ ନିରପେକ୍ଷତାକୁ ସାମ୍ବାଦିକତାର ମୂଳ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ବାଦ ପରିବେଷଣ ସମୟରେ ତଥ୍ୟର ସଠିକତା ଓ ଦାୟିତ୍ୱବୋଧ ପ୍ରତି ସଚେତନ ରହିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ଦିଗରେ ଗଣମାଧ୍ୟମ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରେସ୍ ସଂଘର କର୍ମକର୍ତ୍ତା ଓ ଉପସ୍ଥିତ ସାମ୍ବାଦିକମାନେ ନିଜ ନିଜର ଅନୁଭୂତି ଓ ମତାମତ ରଖିଥିଲେ । ଗଣମାଧ୍ୟମର ସ୍ୱାଧୀନତା, ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ତଥ୍ୟଭିତ୍ତିକ ଖବର ପରିବେଷଣ ଏବଂ ସାମାଜିକ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକମାନଙ୍କ ଦାୟିତ୍ୱ ଆଦି ବିଷୟରେ ମତବିନିମୟ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ଜିଲ୍ଲାର ବହୁ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ