ଅବସରପ୍ରାପ୍ତ ସିଆରପିଏଫ୍ ଯବାନଙ୍କୁ ବର୍ଷ ବର୍ଷ ଧରି ବେରୋଜଗାର କରିବା ଘଟଣା:ମାନବାଧିକାର କମିଶନଙ୍କ ଦ୍ୱାରା ୧ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ
ବାରିପଦା (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) : ପ୍ରଭାବଶାଳୀ ସରପଞ୍ଚଙ୍କ ପ୍ରରୋଚନାରେ ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ଏବଂ ମିଥ୍ୟା ମାମଲା ଜଣେ ଅବସରପ୍ରାପ୍ତ ସିଆରପିଏଫ୍ ଯବାନଙ୍କୁ ବର୍ଷ ବର୍ଷ ଧରି ବେରୋଜଗାର କରିବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ପୀଡ଼ିତ ପୂର୍ବତନ ଯବାନଙ୍କୁ ୨ ମାସ ମଧ୍ୟରେ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଳାଦି ଗ୍ରାମର ରାଜକିଶୋର ନାୟକ ସିଆରପିଏଫ୍ରୁ ଭିଆରଏସ୍ ନେବା ପରେ ବନ୍ଧୁକ ଲାଇସେନ୍ସ ବଳରେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପାଳନ କରୁଥିଲେ। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ ତାଙ୍କର ବିବାଦ ଉପୁଜିଥିଲା। ଉକ୍ତ ବର୍ଷ ମେ ୧୬ ତାରିଖରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ରାଜକିଶୋର ଆହତ ହୋଇ ଥାନାକୁ ଯାଇଥିଲେ ହେଁ କପ୍ତିପଦା ପୋଲିସ ତାଙ୍କ ଏତଲା ରଖି ନ ଥିଲା। ଅପରପକ୍ଷେ ପ୍ରଭାବଶାଳୀ ସରପଞ୍ଚଙ୍କ ଚାପରେ ରାଜକିଶୋରଙ୍କ ବିରୋଧରେ ବିଭିନ୍ନ ଧାରା ସହ ମିଥ୍ୟା ଆର୍ମସ୍ ଆକ୍ଟ ଲଗାଇ କେସ୍ ନମ୍ବର ୫୮/୨୦୧୭ ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଏସ୍ପିଙ୍କ ନିର୍ଦ୍ଦେଶ ପରେ ୧୩ ଦିନ ବିଳମ୍ବରେ ପୋଲିସ ରାଜକିଶୋରଙ୍କ ଅଭିଯୋଗ ପଞ୍ଜୀକୃତ କରିଥିଲା। ଥାନା ଅଧିକାରୀଙ୍କ ଏକତରଫା ରିପୋର୍ଟ ଆଧାରରେ ତତ୍କାଳୀନ ଜିଲ୍ଲାପାଳ ରାଜକିଶୋରଙ୍କୁ କୌଣସି ପକ୍ଷ ରଖିବାର ସୁଯୋଗ ନ ଦେଇ ତାଙ୍କ ବନ୍ଧୁକ ଲାଇସେନ୍ସ ନିଲମ୍ବନ କରିଦେଇଥିଲେ। ଫଳସ୍ୱରୂପ ସେ ହୋଟେଲ ସୁରକ୍ଷାକର୍ମୀ ଚାକିରି ହରାଇ ବେରୋଜଗାର ହୋଇପଡ଼ିଥିଲେ। ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଉଦଳା ଏସ୍ଡିଜେଏମ୍ ଅଦାଲତ ତାଙ୍କୁ ସମସ୍ତ ମିଥ୍ୟା ଆରୋପରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଦାଲତରୁ ଖଲାସ ହେବା ପରେ ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଜରିଆରେ ରାଜକିଶୋର ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ଡିଏସ୍ପିଙ୍କ ତଦନ୍ତ ରିପୋର୍ଟରୁ ପୋଲିସର ନିଷ୍କ୍ରିୟତା, ପକ୍ଷପାତିତା ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ଜଣେ ନିର୍ଦ୍ଦୋଷଙ୍କୁ ଜୀବିକାରୁ ବଞ୍ଚିତ କରିବା ସ୍ପଷ୍ଟ ପ୍ରମାଣିତ ହୋଇଥିଲା। କମିଶନଙ୍କ ସଦସ୍ୟ ଘଟଣାକୁ ଗୁରୁତର ସହ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜକିଶୋର ନାୟକଙ୍କୁ ୨ ମାସ ମଧ୍ୟରେ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ। ଏଥିସହ ଏହି ବେଆଇନ କାର୍ଯ୍ୟ ପାଇଁ ଦାୟୀ ଥିବା ପୋଲିସ ବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0