ଶିମିଳିପାଳରେ ବିଛାର ନୂଆ ପ୍ରଜାତି ଆବିଷ୍କାର,ଓଡ଼ିଶାରେ ପ୍ରଥମଥର ମିଳିଲା ‘ଲିଓଚେଲ୍ସ’ ବଂଶ
ବାରିପଦା, 7।11 Dr Gouro Dasgiri : ପ୍ରସିଦ୍ଧ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣୀ ପ୍ରକଳ୍ପରୁ ବିଛାର ଏକ ନୂଆ ପ୍ରଜାତି ଠାବ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ବିଛାର ବିରଳ ‘ଲିଓଚେଲ୍ସ’ ବଂଶର ସନ୍ଧାନ ମିଳିଥିବାବେଳେ ଶିମିଳିପାଳ ନାମାନୁସାରେ ଏହାର ନାମ ‘ଲିଓଚେଲ୍ସ ଶିମିଳିପାଳେନ୍ସିସ’ ରଖାଯାଇଛି। ଏଥିସହିତ ଏହି ବଂଶର ଜଣାଶୁଣା ପ୍ରଜାତି ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଓ ମହାରାଷ୍ଟ୍ର ଠାଣେ ଅଞ୍ଚଳର ‘ୱାଇଲ୍ଡଲାଇଫ୍ ଆଣ୍ଡ ଆର୍ଥ ସୋସାଇଟି’ (ଡବ୍ଲୁଏଏସ୍)ର ଗବେଷକଙ୍କ ମିଳିତ ଉଦ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ସମ୍ଭବ ହୋଇଛି। ଗବେଷକ ସୌରଭ କିରିଣ୍ଡେ, ତେଜସ ତାକରେ, ଅଶ୍ୱିନ ଖାଣ୍ଡେକର ଓ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ଓ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ତତ୍ତ୍ୱାବଧାନରେ ଏହି ଅଧ୍ୟୟନ ସମ୍ପୂର୍ଣ୍ଣ ହୋଇଛି। ପ୍ରଥମେ ବନ କର୍ମଚାରୀ ଏହାକୁ ଠାବ କରିବା ପରେ ନମୁନା ପରୀକ୍ଷା ପାଇଁ ଡବ୍ଲୁଏଏସ୍କୁ ପଠାଇଥିଲେ। ଏହି ନୂତନ ପ୍ରଜାତି ବିଛାର ଲମ୍ବ ପ୍ରାୟ ୪୪ରୁ ୫୦ ମିଲିମିଟର। ଏହାର ଶରୀର କଳା ରଙ୍ଗର ଓ ତାହା ଉପରେ ଏକ ସ୍ୱତନ୍ତ୍ର ନାଲି ଚିହ୍ନ ରହିଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧,୦୦୦ ମିଟର ଉଚ୍ଚତାରେ ଥିବା ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲର ପଥରଯୁକ୍ତ ଅଞ୍ଚଳରୁ ଏହି ପ୍ରଜାତି ମିଳିଛି। ଗୋଡ଼ର ତଳ ଅଂଶରେ ଥିବା ସୂକ୍ଷ୍ମ କେଶୀ ସମ୍ବେଦନ ଅଙ୍ଗ (ସେନ୍ସ) ଓ ଶରୀରର ବିଭିନ୍ନ ଭାଗରେ ଥିବା ଗଠନଗତ ବିଶେଷତା ଯୋଗୁଁ ଏହା ଅନ୍ୟ ପ୍ରଜାତିଠାରୁ ଭିନ୍ନ ବୋଲି ପ୍ରମାଣିତ ହୋଇଛି। ଏହି ଆବିଷ୍କାର ଓଡ଼ିଶା ଓ ଭାରତର ପ୍ରାଣୀ ବିବିଧତା ତାଲିକାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ଶିମିଳିପାଳ ବ୍ୟତୀତ ଦେଶର ଅନ୍ୟ କେଉଁ ଅଞ୍ଚଳରେ ଏହି ପ୍ରଜାତି ରହିଛି, ତାହା ଜାଣିବା ପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ଗବେଷକ ପ୍ରକାଶ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0