ବାରିପଦା ପୌରାଞ୍ଚଳର ବିକାଶ ନେଇ ଜିଲ୍ଲାପାଳଙ୍କୁ ଜେଏମଏମ ପକ୍ଷରୁ ଦାବିପତ୍ର ୧୫ ଦିନ ମଧ୍ୟରେ ଟେଣ୍ଡର ଆହ୍ୱାନ ନହେଲେ ଆନ୍ଦୋଳନ ଚେତାବନୀ
ବାରିପଦା ତା ୧୯/୯ ବାରିପଦା ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଦୀର୍ଘଦିନ ଧରି ଠପ ହୋଇଥିବା ଅଭିଯୋଗ କରି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ବାରିପଦା ଶାଖା ପକ୍ଷରୁ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ, ବାରିପଦା ପୌରପାଳିକା ଅଧୀନ ୨୮ଟି ୱାର୍ଡରେ ରାସ୍ତା ଉନ୍ନତି, ଡ୍ରେନେଜ, ପାନୀୟ ଜଳ ଯୋଗାଣ, ସହର ସୌନ୍ଦର୍ଯ୍ୟକରଣ, ଜଳାଶୟର ଉନ୍ନତିକରଣ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଅଟକି ରହିଛି। ଫଳରେ ବର୍ଷା ସମୟରେ ଜଳଜମା ସମସ୍ୟା ସହ ରାସ୍ତା ଓ ନାଳର ଅବ୍ୟବସ୍ଥା ଯୋଗୁଁ ସହରବାସୀ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦଳ ଅଭିଯୋଗ କରିଛି। ୨୦୨୫-୨୬ ଓ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ପୌରାଞ୍ଚଳର ବିକାଶ ପାଇଁ ଆବଶ୍ୟକ ଅର୍ଥ ବିନିଯୋଗ ଓ ନୂତନ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇନଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ୧୬ତମ ଅର୍ଥ କମିଶନ, ୬ଷ୍ଠ ରାଜ୍ୟ ଅର୍ଥ କମିଶନ, ଡିଭୋଲୁସନ ଫଣ୍ଡ ଓ ଟାଇଡ ଗ୍ରାଣ୍ଟ ଆଦି ମାଧ୍ୟମରେ ମିଳୁଥିବା ଅର୍ଥର ସଠିକ ବିନିଯୋଗ କରାଯାଇ ବିକାଶ କାର୍ଯ୍ୟକୁ ଗତି ଦେବାକୁ ଜେଏମଏମ ଦଳ ଦାବି କରିଛି। ପୌରପାଳିକାରେ ଦୁଇଜଣ ପୌର ଯନ୍ତ୍ରୀ ଥିବା ସତ୍ତ୍ୱେ ବିକାଶ ମୂଳକ କାର୍ଯ୍ୟ ଆଶାନୁରୂପ ଭାବେ ଆଗେଇ ନଥିବା ନେଇ ମଧ୍ୟ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରଶ୍ନ ଉଠାଇଛି। ଏହା ସହ ପୌରପାଳିକାର ନିର୍ବାହୀ ଅଧିକାରୀ ପୌରାଞ୍ଚଳର ବିକାଶ ପ୍ରକଳ୍ପ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉନଥିବା ଏବଂ ଶାସକ ଦଳର ନେତାଙ୍କ ପ୍ରଭାବରେ କାର୍ଯ୍ୟ କରୁଥିବା ଭଳି ପରିସ୍ଥିତି ଦେଖାଯାଉଥିବା ଦଳ ଅଭିଯୋଗ କରିଛି। ତେବେ ଏହି ଅଭିଯୋଗ ଉପରେ ପୌରପାଳିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୌରାଞ୍ଚଳରେ ଠପ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିବାକୁ ଦଳ ଦାବି କରିଛି। ଦାବି ପୂରଣ ନହେଲେ ଜନସାଧାରଣଙ୍କ ସ୍ୱାର୍ଥରେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯିବ ବୋଲି ଝାମୁମୋ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜେଏମଏମ ର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ, ବରିଷ୍ଠ ନେତା ସୁଜିତ ବେହେରା, ସହର ସଭାପତି ତରେନ ସେନାପତି, ଅଭିଷେକ ଦଣ୍ଡପାଟ, ସୁଶାନ୍ତ ସିଂ, ଗେଡୁ ମହାନ୍ତ, ରାଜୀବ ଥମ୍ବ, ଶିବ ସିଂ, ମୁନା ବାଗ, ପ୍ରେମ ସିଂ, କାମେଶ୍ୱର ଲାହାରୀ, ରାକେଶ ବାଗ, ସୌମ୍ୟ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0