ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଧୁମଧାମରେ ବିଶ୍ୱ ଆଦିବାସୀ ଦିବସ ପାଳନ ନୂତନ ବ୍ଲକ୍ ପାଇଁ ୮ଟି ପଞ୍ଚାୟତବାସୀଙ୍କ ଦାବି
ଦାରିଙ୍ଗବାଡ଼ି, ତା. ୧୦/୮ (ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତର ଆଦିବାସୀମାନଙ୍କୁ ନେଇ ଧୁମଧାମରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି। କୁଇକୁଳ ସମାଜ ଶାଖା ବ୍ରାହ୍ମଣୀଗାଁ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା।ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ ଶିବମନ୍ଦିର ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ନାଚଗୀତ କରିବା ସହ ବିଭିନ୍ନ ନାରା ଦେଇ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।କୁଇକୁଳ ସମାଜର ସଭାପତି ସୁନାର ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିକ୍ଷକ ସନ୍ତୋଷ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଟିଙ୍ଗିଆ ସରପଞ୍ଚ ଶୁଭଦ୍ରା ପାଡ୍ରା, ଦାରିଙ୍ଗବାଡ଼ିର କୁଶନାଥ ଓ ସମ୍ପାଦକ ସଲମନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ଅଞ୍ଚଳର ବହୁ ଆଦିବାସୀ ନେତା ଓ ସମାଜର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ସଭାରେ ଆଦିବାସୀମାନଙ୍କ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଅଞ୍ଚଳର ସର୍ବାଙ୍ଗୀଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଞ୍ଚଳର ସର୍ବାଙ୍ଗୀଣ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବ୍ରାହ୍ମଣୀଗାଁ ଥାନା ଆଇଆଇସିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ଦାବିଗୁଡ଼ିକ ମଧ୍ୟରେ ବ୍ରାହ୍ମଣୀଗାଁ ଅଞ୍ଚଳରେ ଏକ ନୂତନ ବ୍ଲକ୍ ଓ ତହସିଲ ପ୍ରତିଷ୍ଠା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଦାବି କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0