ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ କୁଇଜ ପ୍ରତିଯୋଗିତା
ଝାରସୁଗୁଡ଼ା, ୨୭/୦୯,(ଫାଷ୍ଟ ନ୍ୟୁଜ ଓଡ଼ିଶା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲାରେ ପର୍ଯ୍ୟଟନ ସଚେତନତା ବୃଦ୍ଧି ତଥା ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ କୁଇଜ ପ୍ରତିଯୋଗିତା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା। ଝାରସୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୁଇଜ ମାଷ୍ଟର ଶ୍ରୀ ଶକ୍ତି ରଞ୍ଜନ ମହାପାତ୍ର, ଶ୍ରୀ କାନ୍ହୁ ଚରଣ ମୁଦୁଲି ଏହି କୁଇଜ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀ ସୌମେଶ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଜ଼ିଲ୍ଲାପାଳ ଶ୍ରୀ ବିଶ୍ୱଜିତ ରାଉତ ଏବଂ ବିଭିନ୍ନ ଶିକ୍ଷlନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି ଅବସରରେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ପର୍ଯ୍ୟଟନ କେବଳ ଭ୍ରମଣର ମାଧ୍ୟମ ନୁହେଁ, ଏହା ଏକ ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ସମ୍ପଦକୁ ବିଶ୍ୱସ୍ତରରେ ପରିଚିତ କରାଇବାର ଏକ ପ୍ରମୁଖ ମାଧ୍ୟମ। ପର୍ଯ୍ୟଟନର ବିକାଶ ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ। ଝାରସୁଗୁଡ଼ା ଜିଲ୍ଲାର ପ୍ରାକୃତିକ, ଐତିହାସିକ ଓ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ଅଧିକରୁ ଅଧିକ ଲୋକଙ୍କୁ ଏହି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଅବଗତ କରାଇବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। କୁଇଜ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ପ୍ରମୋ ରନ୍ କାର୍ଯ୍ୟକ୍ରମ ଅବସରରେ ଶ୍ରେଷ୍ଠ ୭ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପର୍ଯ୍ୟଟନସ୍ଥଳୀ, ଐତିହ୍ୟ, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ଯୁବପିଢ଼ିଙ୍କ ଜ୍ଞାନ ଓ ଆଗ୍ରହ ବୃଦ୍ଧି କରିବା ସହ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁ ଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0