କିରମାହା ଗ୍ରାମରେ ଧୁମ୍ଧାମରେ ପାଳିତ ହେଲା ଶିଶୁ ଦିବସ:୧୦ଟି ବାଳିକା ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ପ୍ରତିଭା ପ୍ରଦର୍ଶନ; କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ
ଦାରିଙ୍ଗବାଡ଼ି, ୧୪/୧୧:(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଶିଶୁଙ୍କ ମୁହଁରେ ହସ, ମନରେ ଉତ୍ସାହ ଓ ଲୁକ୍କାୟିତ ପ୍ରତିଭାର ଝଲକ। ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଓ ବକ୍ତୃତାରେ ମନ ମୋହିଲେ ଛାତ୍ରୀ। ଏଭଳି ଆନନ୍ଦମୟ ପରିବେଶ ମଧ୍ୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିରମାହା ଗ୍ରାମରେ ମହାଆଡ଼ମ୍ବରରେ ପାଳିତ ହୋଇଛି ଶିଶୁ ଦିବସ।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଜୟନ୍ତୀ ଅବସରରେ ଆଇ ଇମ୍ପାକ୍ଟ ସିସିଡବ୍ଲ୍ୟୁଡି ଶିକ୍ଷାକେନ୍ଦ୍ର ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୧୦ଟି ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର କଳା, ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଛାତ୍ରୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ ସମଗ୍ର କାର୍ଯ୍ୟକ୍ରମ ଉତ୍ସବମୁଖର ହୋଇଉଠିଥିଲା।ଏହି ଅବସରରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଓ ବକ୍ତୃତା ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ଜିଣିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଶ୍ରୀ ମହେଶ୍ୱର କାର୍ଯ୍ୟୀ ମୁଖ୍ୟ ଅତିଥି, ଶ୍ରୀ ଗୋପାଳ ଚନ୍ଦ୍ର ରଣଶଣ୍ଢ ସମ୍ମାନିତ ଅତିଥି ଏବଂ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କୃପାସିନ୍ଧୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏଥିସହ ସୁପରଭାଇଜର ଶ୍ରୀ ନିରଞ୍ଜନ ମାଝୀ ଓ ଶ୍ରୀ ଭୀମସେନ ବଡ଼ମାଝୀ, ଆଇ ଇମ୍ପାକ୍ଟ ସିସିଡବ୍ଲ୍ୟୁଡିର କର୍ମକର୍ତ୍ତା, ସ୍ଥାନୀୟ ୱାର୍ଡମେମ୍ବର ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାକୁ ପ୍ରୋତ୍ସାହନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବା ସହ ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାରେ ଏକ ଉତ୍ତମ ମାଧ୍ୟମ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0