ପେସା ସଙ୍ଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବାରିପଦା ତା 19/11/2026 ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ବାଲି ଓ ମୋରମ ଚୋରା ଚାଲାଣ, ଖଣି ଅଧିକାରୀଙ୍କ ଦୁର୍ନୀତି ଏବଂ ଆଦିବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ବୁଧବାର ଜିଲ୍ଲା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି ଓ ପେସା ଯୁବ ସଙ୍ଗଠନ ପକ୍ଷରୁ ବାରିପଦା ଠାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସ୍ଥାନୀୟ ମଧୁବନ ପଡ଼ିଆଠାରୁ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପେସା ଯୁବ ସଭାପତି ଦୁଲାରାମ ମୁର୍ମୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବେତନଟୀ ତହସିଲ ଅନ୍ତର୍ଗତ ଶୁଖିଲାହାର ସାମିଲ ମହୁଲିଆ ଅଞ୍ଚଳରେ ହେଉଥିବା ବେଆଇନ ବାଲି ଓ ମୋରମ ଚାଲାଣ ପ୍ରସଙ୍ଗକୁ ପ୍ରମୁଖତାର ସହ ଉଠାଯାଇଥିଲା। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବାରିପଦା ଖଣି କାର୍ଯ୍ୟାଳୟର ଅଧିକାରୀମାନେ ଚୋରା ଚାଲାଣକାରୀଙ୍କ ସହ ହାତ ମିଳାଇ ସରକାରୀ ରାଜସ୍ୱ ହାନି କରୁଛନ୍ତି। ଗତ ଫେବୃଆରୀ ମାସରେ ସ୍ପଟ ନିଲାମ ହୋଇଥିବା ବାଲି ଓ ମୋରମକୁ ଦୀର୍ଘ ମାସ ପରେ ଅକ୍ଟୋବରରେ ଇ-ପାସ ମାଧ୍ୟମରେ ପରିବହନ ଅନୁମତି ଦିଆଯିବା ଏବଂ ପୂର୍ବରୁ ମାମଲା ଥିବା ଗାଡ଼ି ମାଲିକଙ୍କୁ ପ୍ରୋତ୍ସାହିତ କରାଯାଉଥିବା ନେଇ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ ଜିଲ୍ଲାପାଳ, ଏସପି ଓ ଖଣି ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ. ଏହା ବ୍ୟତୀତ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପ୍ରଶାସନ ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0