ନୂଆପଡ଼ାରେ ଜନଗଣନା–୨୦୨୭ର ଜନସଂଖ୍ୟା ଗଣନା ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକଙ୍କ ତିନିଦିନିଆ ପ୍ରଶିକ୍ଷଣ ଶେଷ
ନୂଆପଡ଼ା, ତା. ୨୮/୧୧: ଭାରତର ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନା (Population Enumeration) ନିମନ୍ତେ କ୍ଷେତ୍ର ପ୍ରଶିକ୍ଷକ (Field Trainers) ମାନଙ୍କ ପାଇଁ ଗତ ୨୫ ନଭେମ୍ବର ୨୦୨୬ ତାରିଖରୁ ନୂଆପଡ଼ାସ୍ଥିତ ସଦ୍ଭାବନା ସଭାଗୃହଠାରେ ଆରମ୍ଭ ହୋଇଥିବା ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭ ନଭେମ୍ବର ୨୦୨୬ ତାରିଖରେ ସଫଳତାର ସହ ସମାପ୍ତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁଇଜଣ ମାଷ୍ଟର ଟ୍ରେନର ଏସ୍.କେ. ନସିମ ଏବଂ ପ୍ରୟାସୀ ପ୍ରଧାନ, ଡେପୁଟି ଜିଲ୍ଲାପାଳ, ପ୍ରଶିକ୍ଷାର୍ଥୀମାନଙ୍କୁ ଜନଗଣନା ପ୍ରକ୍ରିୟା, କ୍ଷେତ୍ରସ୍ତରୀୟ ଦାୟିତ୍ୱ ଓ ଜନସଂଖ୍ୟା ଗଣନା ସମ୍ବନ୍ଧୀୟ ବିଭିନ୍ନ ନିୟମାବଳୀ ଉପରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏଥିସହିତ, କ୍ଷେତ୍ରସ୍ତରୀୟ ପ୍ରାୟୋଗିକ ପ୍ରଦର୍ଶନ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କୁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣର ଦ୍ୱିତୀୟ ଦିବସରେ ଅଭୟ ନାରାୟଣ ନାୟକ, ଯୁଗ୍ମ ନିର୍ଦ୍ଦେଶକ (JDCO), ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଜନସଂଖ୍ୟା ଗଣନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ମୂଲ୍ୟବାନ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ପ୍ରତିନିଧି ଏସ୍. ପାଠକ, ଏସ୍.ଆଇ. ଗ୍ରେଡ୍-୨ ଏବଂ ବିକାଶ ହୁଇକା, କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ଆବଶ୍ୟକୀୟ ସହଯୋଗ ଓ ସହାୟତା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜୟ କୁମାର ଛତ୍ରିଆ, ସହକାରୀ ଜିଲ୍ଲାପାଳ ତଥା ଉପଜିଲ୍ଲା ଜନଗଣନା ଅଧିକାରୀ, ନୂଆପଡ଼ା ସଫଳତାର ସହ ସଂଯୋଜନା କରିଥିଲେ। ଉଦ୍ଯାପନୀ ଦିବସରେ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ, ନୂଆପଡ଼ା, ଅଂଶଗ୍ରହଣକାରୀ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ସମାପ୍ତି ପ୍ରମାଣପତ୍ର ବଣ୍ଟନ କରିବା ସହ ନିଜ ନିଜର ଦାୟିତ୍ୱକୁ ନିଷ୍ଠା, ସଠିକତା ଓ ଆନ୍ତରିକତାର ସହ ସମ୍ପାଦନ କରିବାକୁ ଉତ୍ସାହିତ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0