ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ୭ଦଫା ଦାବି ପୂରଣ ନହେଲେ ବିଧାନସଭା ଘେରାଉ ପାଇଁ ଚେତାବନି
ବାରିପଦା ତା. ୧୧/୧୧(ପି.ଏନ.ଏସ.) ମଙ୍ଗଳବାର ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରୁ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ଆନୁକୁଲ୍ୟରେ ପାଚକ ପାଚିକା ମାନଙ୍କର ୭ଦଫା ଦାବି ପୂରଣ ପାଇଁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ରାଜ୍ୟ ସଭାପତି ଜଗେନ୍ଦ୍ର ସ୍ଵାଇଁଙ୍କ ନେତୃତ୍ବରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା ଭିତ୍ତିଭୂମିର ମଧ୍ୟାହ୍ନଭୋଜନ ଭଳି ଗୁରୁତ୍ଵପୂର୍ଣ୍ଣ ଯୋଜନାରେ କାର୍ଯ୍ୟକରି ଆସୁଥିବା ପାଚିକା ମାନଙ୍କର ଏ ଯାଏଁ ନିଯୁକ୍ତିପତ୍ର ହୋଇନଥିବା ଯୋଗୁଁ ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନେବା, ସରକାରଙ୍କ ଦ୍ଵାରା ନିଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଦୈନିକ ୪୬୨ଟଙ୍କା ହିସାବରେ ମଜୁରୀ ପ୍ରଦାନ କରିବା, ପାଚିକାଙ୍କ ନିଯୁକ୍ତି ଏବଂ ଅବସର ସମ୍ପର୍କରେ ସରକାର ନିଜେ ଅନ୍ତର୍ଭୁକ୍ତ ହେବା, ଆରମ୍ଭରୁ ଖୁବକମ ପାରିଶ୍ରମିକରେ କାମ କରିଆସୁଥିବାରୁ ତାଙ୍କ ପରିବାରର ଜଣଙ୍କୁ ପୁନଃ ଥଇଥାନ ସହ ଅବସରକାଳୀନ ଭତ୍ତା ସ୍ୱରୂପ ୧ଲକ୍ଷ ଟଙ୍କା ପ୍ରଦାନ କରିବା, ସଠିକ ସମୟରେ ପାରିଶ୍ରମିକ ପ୍ରଦାନ କରାଯିବା ସହ ୧୦ ମାସର ଦରମା ବଦଳରେ ୧୨ ମାସର ଦରମା ପ୍ରଦାନ କରାଯିବା, ସାମାଜିକ ସ୍ଵୀକୃତି ସ୍ଵରୂପ ପରିଚୟ ପତ୍ର ପ୍ରଦାନ କରାଯିବା ଆଦି ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ନାୟକ, ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ଵାଇଁ, କାର୍ଯ୍ୟକାରୀ ସଭାନେତ୍ରୀ ସରୋଜିନ କୁମୁରା, ରାଜ୍ୟ ଉପ- ସଭାନେତ୍ରୀ ଶାନ୍ତି ଲୋହାର, ରାଜ୍ୟ ସାଧାରଣ ସମ୍ପାଦିକା ସୁମିତ୍ରା ରଥ, ରାଜ୍ୟ ସମ୍ପାଦକ ଜଗନ୍ନାଥ ମୁଦୁଲି, ରାଜ୍ୟ ସଂଯୋଜକ ବିଜୟ ରଥ, ରାଜ୍ୟ ସମ୍ପାଦିକା ସଞ୍ଜୁଲତା ବିଶ୍ଵାଳ, ମୟୂରଭଞ୍ଜ ଜିଲ୍ଲା-ସାଧାରଣ ସମ୍ପାଦିକା ଲୀଳାବତି ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ଗେଲିମଣି ବଗାଳ, କୋଷାଧ୍ୟକ୍ଷ ମୟୂରଭଞ୍ଜ ସୁଭଦ୍ରା ସିଂ, ଜିଲ୍ଲା ସହ-ସମ୍ପାଦିକା ନନ୍ଦିନୀ ମହାନ୍ତ, ଜିଲ୍ଲା ସମ୍ପାଦିକା ମନୋରମା ବାରିକ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପାଚକ ପାଚିକା କର୍ମୀ ଉପସ୍ଥିତ ଥିଲେ. ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ ଆଲୋଚନା କରି ଦାବି ପତ୍ର ପ୍ରଦାନ କରାଯିବା ସହ ତୁରନ୍ତ ଦାବି ଗୁଡିକ ପୁରଣ ନକଲେ ଆଗାମୀ ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭା ଆଗରେ ବିରାଟ ବିକ୍ଷୋଭ ସମାବେଶ କରି ରୋଷେଇ ଛାଡ ଅଭିଯାନ କରିବା ପାଇଁ ଚେତାବନି ଦିଆଯାଇଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0