ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ:ଦୁର୍ଘଟଣା ରୋକିବା ଓ ଜୀବନ ରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ;ବେଆଇନ ପାର୍କିଂ, ରଙ୍ଗ ସାଇଡ୍ ଡ୍ରାଇଭିଂ ଏବଂ ଜାତୀୟ ରାଜପଥ କଡ଼ର ଅନଧିକୃତ ଢାବା ହଟାଇବା ଉପରେ ଗୁରୁତ୍ୱ

Sep 30, 2026 - 07:03
 0  22
ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ:ଦୁର୍ଘଟଣା ରୋକିବା ଓ ଜୀବନ ରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ;ବେଆଇନ ପାର୍କିଂ, ରଙ୍ଗ ସାଇଡ୍ ଡ୍ରାଇଭିଂ ଏବଂ ଜାତୀୟ ରାଜପଥ କଡ଼ର ଅନଧିକୃତ ଢାବା ହଟାଇବା ଉପରେ ଗୁରୁତ୍ୱ

*ଝାରସୁଗୁଡ଼ା, ୨୯/୦୯:*(ଫାଷ୍ଟ ନ୍ୟୂଜ ଓଡ଼ିଶା)ଜିଲ୍ଲାରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ତଥା ଶୂନ ଦୁର୍ଘଟଣା ଜନିତ ମୃତ୍ୟୁ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ତଥା ଜିଲ୍ଲା ହାଇୱେ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର୍. ରାଘବେନ୍ଦ୍ର ମିଳିତ ଭାବେ ଅଧ୍ୟକ୍ଷତା କରି ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ଓ ସଡ଼କ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ଅନୁପାଳନ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗୌରହରି ହାଁସଦା ବୈଠକ ପରିଚାଳନା କରିବା ସହ ଜିଲ୍ଲାର ଦୁର୍ଘଟଣା ସ୍ଥିତି, ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ତଥା ଗତ ମାସଗୁଡ଼ିକର ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲାପାଳ ସଡ଼କ କଡ଼ରେ ହେଉଥିବା ବେଆଇନ ଗାଡ଼ି ପାର୍କିଂ ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ରାସ୍ତାର ଧାରରୁ ଅତିକମରେ ୧୦ ଫୁଟ ଦୂରରେ ଭାରୀ ଯାନଗୁଡ଼ିକୁ ପାର୍କିଂ କରିବା ସୁନିଶ୍ଚିତ କରିବା ପାଇଁ ଟ୍ରକ୍ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଭବିଷ୍ୟତରେ ରାସ୍ତା କଡ଼ ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖେରୁଆଲ ବ୍ରିଜ ନିକଟରେ ଟ୍ରକ୍ ଟର୍ମିନାଲ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରିବାକୁ ଉପ-ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଜାତୀୟ ରାଜପଥ -୪୯ କଡ଼ରେ ଥିବା ବେଆଇନ ଢାବା, ଗ୍ୟାରେଜ୍ ଏବଂ ଅନଧିକୃତ ଜବରଦଖଲ ଉଚ୍ଛେଦ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏନଏଚଏଆଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଅଞ୍ଚଳରେ ଚିହ୍ନଟ ହୋଇଥିବା ପ୍ରାୟ ୨୪୦ଟି ସ୍ଥାନରୁ ବେଆଇନ ନିର୍ମାଣ ହଟାଇବା ସହ ବଡମାଲରୁ ଖେରୁଆଲ ବ୍ରିଜ ମଧ୍ୟରେ ଥିବା ସମସ୍ତ ଅବରୋଧ ଉଚ୍ଛେଦ ପାଇଁ କୁହାଯାଇଛି। ଏହି ବୈଠକରେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ରାଜପଥ କଡ଼ରୁ କାଦୁଅ, ଘାସ ଓ ଅନାବନା ଗଛଲତା ସଫା କରିବା ସହ ରାସ୍ତାର ଦବିଯାଇଥିବା ମାଟିର ମରାମତି ଏବଂ ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପାଣ୍ଡ୍ରିପଥର ଟ୍ରକ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ଆପ୍ରୋଚ୍ ରୋଡ୍ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାରୁ, ଉକ୍ତ ରାସ୍ତା କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରି ଟର୍ମିନାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର୍. ରାଘବେନ୍ଦ୍ର ଦୁର୍ଘଟଣା ରୋକିବା ଏବଂ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଭୁଲ ଦିଗରେ ଗାଡ଼ି ଚାଳନା କରୁଥିବା ଅମାନିଆଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଦୁର୍ଘଟଣା ସମୟରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ଏବଂ ଜୀବନ ବଞ୍ଚାଇବା ପାଇଁ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ (୧୦୮/୧୧୨) ମୁତୟନ କରିବା ଓ ସଚେତନତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।ଏହାସହ ଫ୍ଲାଏ-ଆଶ୍ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ପାଇଁ ଗଠିତ ୨୪ ଘଣ୍ଟିଆ 'ଫ୍ଲାଏ ଆଶ୍ ଟାସ୍କଫୋର୍ସ'କୁ ଅଧିକ ସକ୍ରିୟ କରିବା ଏବଂ କୌଣସି ଗାଡ଼ି ଯେପରି ରାସ୍ତା ମଝିରେ ନ ଅଟକେ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରି ସେଠାରେ ଉପଯୁକ୍ତ ସାଇନେଜ୍, ରମ୍ବଲ ଷ୍ଟ୍ରିପ୍ସ ଏବଂ ସ୍କୁଲ/କଲେଜ ଛକଗୁଡ଼ିକରେ ତୁରନ୍ତ ହାଇମାଷ୍ଟ ଲାଇଟ୍ ଲଗାଇବା ପାଇଁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଭାରୀ ଯାନଗୁଡ଼ିକ ରାସ୍ତାରେ ଖରାପ ହୋଇ ଠିଆ ହେଲେ ରାତ୍ରିକାଳୀନ ଦୁର୍ଘଟଣା ରୋକିବା ପାଇଁ ପ୍ରତ୍ୟେକ ଟ୍ରକରେ ଅତିକମରେ ୩ଟି ଲେଖାଏଁ ରିଫ୍ଲେକ୍ଟିଭ୍ ଟ୍ରାଫିକ୍ କୋନ୍ ରଖିବାକୁ ଟ୍ରକ୍ ସଂଘକୁ ବାଧ୍ୟତାମୂଳକ କରାଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀମତୀ ଭିକ୍ଟୋରିଆ ଏକ୍କା, ଅତିରିକ୍ତ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ତପନ ବିଶ୍ୱାଳ, ଏଲ୍ ଆଣ୍ଡ ଟି ପ୍ରତିନିଧି, ଏନଏଚଏଆଇ ଅଧିକାରୀ, ସିଡିଏମଓ, ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ଜିଲ୍ଲା ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ