ଡିସେମ୍ବର ୨୭ରୁ ପାଞ୍ଚ ଦିନିଆ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୬’:ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ; ପାରମ୍ପରିକ ଲୋକକଳା ଓ ଜନଜାତି ସଂସ୍କୃତିକୁ ମିଳିବ ପ୍ରାଧାନ୍ୟ, ପୋଲୁରୁରୁ ଉଠିବ କଳସ ଜଳ

Nov 26, 2026 - 19:39
 0  13
ଡିସେମ୍ବର ୨୭ରୁ ପାଞ୍ଚ ଦିନିଆ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୬’:ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ; ପାରମ୍ପରିକ ଲୋକକଳା ଓ ଜନଜାତି ସଂସ୍କୃତିକୁ ମିଳିବ ପ୍ରାଧାନ୍ୟ, ପୋଲୁରୁରୁ ଉଠିବ କଳସ ଜଳ

*ମାଲକାନଗିରି, ୨୬/୧୧/୨୬:* ଆସନ୍ତା ଡିସେମ୍ବର ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡ଼ିଆ ଠାରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ 'ମାଲ୍ୟବନ୍ତ ମହୋତ୍ସବ-୨୦୨୬' ଅନୁଷ୍ଠିତ ହେବ। ଏନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ ଏବଂ ଜନଜାତି ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ମହୋତ୍ସବ ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଜଶିର୍କେ ନିଜ ଅଭିଭାଷଣରେ କହିଥିଲେ ଯେ ମାଲ୍ୟବନ୍ତ ମହୋତ୍ସବ ହେଉଛି ଆମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଏବଂ ଜନଜାତି ପରମ୍ପରାର ଅନନ୍ୟ ପରିଚୟ। ସ୍ଥାନୀୟ କଳାକାରମାନଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇ ଦେବା ସହ ଜିଲ୍ଲାର ଐତିହ୍ୟକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କ ମିଳିତ ସହଯୋଗ ଓ ଭାଗିଦାରୀରେ ଚଳିତ ବର୍ଷର ମହୋତ୍ସବକୁ ଅତ୍ୟନ୍ତ ଆକର୍ଷଣୀୟ, ଆଡ଼ମ୍ବରପୂର୍ଣ୍ଣ ଏବଂ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରାଯିବ। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଡିସେମ୍ବର ୧୦ ରୁ ୨୦ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳନ କରାଯିବ। ଚଳିତ ବର୍ଷ କାଲିମେଳା ବ୍ଲକ ଅନ୍ତର୍ଗତ ପୋଲୁରୁ ଠାରୁ ପବିତ୍ର କଳସ ଜଳ ସଂଗ୍ରହ କରାଯାଇ ଜିଲ୍ଲା ସଦର ମହକୁମାସ୍ଥିତ ଭୈରବୀ ମନ୍ଦିର ଠାରେ ଏକତ୍ରିତ ହେବା ପରେ ଜଗନ୍ନାଥ ମନ୍ଦିର ଅଭିମୁଖେ ଭବ୍ୟ ଶୋଭାଯାତ୍ରା କରାଯିବ। ଏଥିସହ ଚଳିତ ବର୍ଷ ନୌକା ଚାଳନା ପ୍ରତିଯୋଗିତା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ମହୋତ୍ସବରେ ସମ୍ମାନିତ କରାଯିବ। ପୂର୍ବ ବର୍ଷ ଭଳି ସଂସ୍କୃତି ଭବନ ଠାରେ ଦୁଇ ଦିନ ଧରି ଲୋକନୃତ୍ୟ ପ୍ରତିଯୋଗିତା ସମେତ ମିନି ମାରାଥନ, ନୌକା ଚାଳନା ଓ ପଥ ଉତ୍ସବ ଆୟୋଜନ କରାଯିବ। ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ପରିଷଦର ଅର୍ଥ ପରିଚାଳକ ମାନସ ମିଶ୍ରଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ବିଡିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ଆଦିବାସୀ ସମାଜ ମହାସଂଘ, ଜିଲ୍ଲା କଳା ସଂସ୍କୃତି ସଂଘର ସଦସ୍ୟ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ