କୁଚେଇ ରେଳଷ୍ଟେସନରେ ମାଲବାହୀ ରେଳ ରେକ ସ୍ଥାପନ ପାଇଁ ଦାବି:ଦକ୍ଷିଣ ପୂର୍ବ ରେଳପଥ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଲା ଲୋକାଲ ଟ୍ରକ ଓନର୍ସ ଆସୋସିଏସନ

Nov 22, 2026 - 08:51
 0  48
କୁଚେଇ ରେଳଷ୍ଟେସନରେ ମାଲବାହୀ ରେଳ ରେକ ସ୍ଥାପନ ପାଇଁ ଦାବି:ଦକ୍ଷିଣ ପୂର୍ବ ରେଳପଥ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଲା ଲୋକାଲ ଟ୍ରକ ଓନର୍ସ ଆସୋସିଏସନ

ବାରିପଦା ତା ୨୧/୧୧ ମୟୂରଭଞ୍ଜ ଜିଲ୍ଲାରେ ମାଲ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ବ୍ୟବସାୟୀ, ଟ୍ରକ ମାଲିକ ଓ ଶ୍ରମିକଙ୍କ ଆର୍ଥିକ ସ୍ୱାର୍ଥରକ୍ଷା ନିମନ୍ତେ କୁଚେଇ ରେଳଷ୍ଟେସନ ଠାରେ ଏକ ପୂର୍ଣ୍ଣାଙ୍ଗ ମାଲବାହୀ ରେଳରେକ ସ୍ଥାପନ କରିବାକୁ ଦାବି ହୋଇଛି। ଏନେଇ ବାରିପଦାସ୍ଥିତ ଲୋକାଲ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅନିଲ କୁମାର ଜୈନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସୋସିଏସନର ସଭାପତି କମଳେନ୍ଦୁ କୁମାର ଦାସଙ୍କ ସ୍ୱାକ୍ଷରିତ ଏହି ପତ୍ରରେ ଦର୍ଶାଯାଇଛି ଯେ, ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ବାଲେଶ୍ୱରରୁ ସିମେଣ୍ଟ, ସାର, ଖାଦ୍ୟଶସ୍ୟ, ବାଉଁଶ, ଫ୍ଲାଏଆଶ ଆଦି ସାମଗ୍ରୀ ପରିବହନ ପାଇଁ ଟ୍ରକ ଗୁଡ଼ିକୁ ପ୍ରାୟ ୧୪୦ କିଲୋମିଟର ଯାତାୟାତ କରିବାକୁ ପଡ଼ୁଛି। ଫଳରେ ବ୍ୟବସାୟୀ ଓ ପରିବହନ ସଂସ୍ଥାଗୁଡ଼ିକ ଅଧିକ ଆର୍ଥିକ ବୋଝର ସମ୍ମୁଖୀନ ହେଉଛନ୍ତି।ଜିଲ୍ଲାରେ ବର୍ତ୍ତମାନ କୌଣସି ସୁବିଧାଜନକ ମାଲବାହୀ ରେଳରେକ ବ୍ୟବସ୍ଥା ନଥିବାରୁ ବାଣିଜ୍ୟିକ କାରବାର ପ୍ରଭାବିତ ହେଉଛି। ପୂର୍ବରୁ ବାରିପଦାରେ ମାଲବାହୀ ସୁବିଧା ରହିଥିଲେ ମଧ୍ୟ ୧୯୯୦ ଦଶକର ମଧ୍ୟଭାଗରୁ ତାହା ବନ୍ଦ ହୋଇଯାଇଛି। ଭଞ୍ଜପୁର ଷ୍ଟେସନରେ ଅଧା ରେକ ସୁବିଧା ମଞ୍ଜୁର ହୋଇଥିଲେ ମଧ୍ୟ ଆପ୍ରୋଚ ରୋଡ଼ ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଅନ୍ୟପକ୍ଷରେ, ଭଞ୍ଜପୁର ଷ୍ଟେସନଠାରୁ ମାତ୍ର ୭.୭୨ କିଲୋମିଟର ଦୂରରେ ଥିବା କୁଚେଇ ଷ୍ଟେସନରେ ପ୍ରାୟ ୧୦ ଏକର ଜମି ଉପଲବ୍ଧ ରହିଛି। ଏହା ସହିତ ଷ୍ଟେସନଠାରୁ ମାତ୍ର ୬୦୦ ମିଟର ଦୂରରେ ଚେନ୍ନାଇ-କୋଲକାତା ସୁପର ହାଇୱେ ରହିଥିବାରୁ ଏଠାରେ ପୂର୍ଣ୍ଣାଙ୍ଗ ମାଲବାହୀ ରେଳରାକ୍ ସ୍ଥାପନ କରିବା ସୁବିଧାଜନକ ହେବ ବୋଲି ଆସୋସିଏସନ ଦର୍ଶାଇଛି। କୁଚେଇ ଷ୍ଟେସନରେ ଏହି ସୁବିଧା ଆରମ୍ଭ ହେଲେ ହଜାର ହଜାର ଟ୍ରକ ମାଲିକ, ଶ୍ରମିକ, ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକେ ଉପକୃତ ହେବା ସହ ନୂତନ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେଣୁ ଐତିହାସିକ ରେଳପଥର ବିକାଶ ଓ ଜିଲ୍ଲାର ଆର୍ଥିକ ପ୍ରଗତି ଦୃଷ୍ଟିରୁ ରେଳ କର୍ତ୍ତୃପକ୍ଷ ଏହି ଦାବି ପ୍ରତି ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ