ଶୁଦ୍ଧ ଭୋଟର ତାଲିକା ଓ ମତଦାନର ଗୁରୁତ୍ୱ ଉପରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା
ବାରିପଦା, (୨୩/୧୧): ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଶୁଦ୍ଧ ଓ ସ୍ୱଚ୍ଛ ଭୋଟର ତାଲିକାର ଗୁରୁତ୍ୱ ତଥା ମତଦାନର ଆବଶ୍ୟକତା ସମ୍ପର୍କରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରୁ ମୋଟ ୮୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ଅବସରରେ ଶ୍ରୀ ନାୟକ କହିଥିଲେ ଯେ, “ଏକ ଶୁଦ୍ଧ ଓ ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ରର ସୁଦୃଢ଼ ଭିତ୍ତିଭୂମି । ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଯୁବପିଢ଼ିଙ୍କ ଜ୍ଞାନ ଓ ସଚେତନତା ବୃଦ୍ଧି ସହ ସେମାନଙ୍କୁ ଦାୟିତ୍ୱସମ୍ପନ୍ନ ମତଦାତା ଭାବେ ଗଢ଼ି ତୋଳିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସ୍ଥାନ ପାଇବା ସହ ସେମାନଙ୍କର ସକ୍ରିୟ ମତଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥାଏ ।” ପ୍ରତିଯୋଗିତାରେ ୪୧ ଜଣ ପ୍ରବନ୍ଧ ଲିଖନ ଓ ୪୮ ଜଣ କୁଇଜ୍ ବିଭାଗରେ ଭାଗ ନେଇଥିଲେ । ପ୍ରବନ୍ଧ ଲିଖନର ବିଷୟବସ୍ତୁ ‘ଶୁଦ୍ଧ ଭୋଟର ତାଲିକାର ଗୁରୁତ୍ୱ ଓ ମତଦାନର ଗୁରୁତ୍ୱ’ ରହିଥିବାବେଳେ କୁଇଜ୍ ପ୍ରତିଯୋଗିତାରେ ଭୋଟର ତାଲିକା, ଇଭିଏମ୍-ଭିଭିପାଟ୍ ଏବଂ ନିର୍ବାଚନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ପ୍ରଶ୍ନ ସ୍ଥାନ ପାଇଥିଲା । ଉଭୟ ବିଭାଗରୁ ୧୦ ଜଣ ଲେଖାଏଁ, ମୋଟ ୨୦ ଜଣ କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଡେପୁଟି କଲେକ୍ଟର(ନିର୍ବାଚନ) ବସୁନ୍ଧରା ଭିତ୍ରିଆଙ୍କ ସମେତ ନିରୀକ୍ଷକ ଭାବେ ନଳିନୀ କୁମାରୀ ଚୌଧୁରୀ, ଅରୁଣ କୁମାର ଦାସ, ପ୍ରଭାତ କୁମାର ଜେନା, ନିତୁ ବାଲ୍, ସନ୍ଦୀପ କୁମାର ଚାନ୍ଦ, ସୁବ୍ରତ କୁମାର ଆଚାର୍ଯ୍ୟ, ଶିଶିର କୁମାର ନାୟକ ଓ ଅନିଲ କୁମାର ମହାପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0