ବାରିପଦାରେ ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ସର ବାର୍ଷିକ ଉତ୍ସବ: ସଂସ୍କୃତରେ କୂଳ ସଙ୍ଗୀତ ଉଦ୍ଘାଟିତ, ‘ପୂର୍ଣ୍ଣପ୍ରଭା’ ଉନ୍ମୋଚିତ, ମେଧାବୀଙ୍କୁ ଛାତ୍ରବୃତ୍ତି
ବାରିପଦା:ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ସ, ରଘୁନାଥପୁର ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଜ୍ଞାନ, ସଂସ୍କାର ଓ ପ୍ରେରଣାର ତ୍ରିବେଣୀ ସଙ୍ଗମ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଇଂ. ପ୍ରଭାସ କୁମାର ଦାସ, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଙ୍କିତା ବାରିକ, ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶ୍ରୀ ନିରୋଦ ଚନ୍ଦ୍ର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ଲିପିକା ଦାସ ଉପସ୍ଥିତ ଥିଲେ । ସଭାରେ ସଭାପତିତ୍ୱ କରି ମଞ୍ଚ ପରିଚାଳନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରଘୁନାଥପୁରର ଏକାଡେମିକ୍ ମୁଖ୍ୟ ଡା. ଆଦର୍ଶ ଶତପଥୀ । ସେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ମୃତିରେ ୨୦୧୬ ମସିହାରେ ପୂର୍ଣ୍ଣଚନ୍ଦ୍ର ମେମୋରିଆଲ୍ ଟ୍ରଷ୍ଟ ପ୍ରତିଷ୍ଠା ହୋଇଥିଲା । ୨୦୧୭ରେ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗ ନେଇ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୦୨୨ରେ ଓଡ଼ିଆ ମାଧ୍ୟମରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏଁ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିର ଏବଂ ୨୦୨୪ରେ ଇଂରାଜୀ ମାଧ୍ୟମରେ KG ରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପୂର୍ଣ୍ଣଚନ୍ଦ୍ର ପବ୍ଲିକ୍ ସ୍କୁଲ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ଲକ୍ଷ୍ୟ କେବଳ ମାର୍କ ନୁହେଁ ସର୍ବାଂଗୀଣ ଉନ୍ନତି ମାଧ୍ୟମରେ ପିଲାର ମସ୍ତିଷ୍କ ସହ ହୃଦୟକୁ ଗଢ଼ିବା ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ଅନୁଷ୍ଠାନର କୂଳ ସଙ୍ଗୀତ ସଂସ୍କୃତ ଭାଷାରେ ଉଦ୍ଘାଟିତ ହୋଇଥିଲା । ସେହିପରି ବାର୍ଷିକ ପତ୍ରିକା ‘ପୂର୍ଣ୍ଣପ୍ରଭା’ର ପ୍ରଥମ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହାକୁ ଅତିଥିମାନେ ଅନୁଷ୍ଠାନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଥିଲେ । ଏହା ସହିତ ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ୱେଷଣ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଞ୍ଚରେ ଛାତ୍ରବୃତ୍ତି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଡା. ମହାପାତ୍ର କହିଥିଲେ, ପୂର୍ଣ୍ଣଚନ୍ଦ୍ର ଅନୁଷ୍ଠାନ ମୟୂରଭଞ୍ଜରେ ଉତ୍ତମ ଶିକ୍ଷା ଓ ସଂସ୍କାର ଦେବାରେ ପ୍ରମୁଖ ଭୂମିକା ନେଉଛି । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ଓ ଶୃଙ୍ଖଳା ସହ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ କୁଳପତି ପ୍ରଫେସର ମହାନ୍ତି ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସପ୍ତ ସୂତ୍ର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ସମସ୍ତ ଛାତ୍ରଛାତ୍ରୀଙ୍କ ମାନସିକ, ସାମାଜିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଉନ୍ନତି କିପରି ହୋଇପାରିବ ସେ ବିଷୟରେ ପ୍ରତିପାଦନ କରିଥିଲେ । ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳତାକୁ ସ୍ପର୍ଶ କରିଥିଲା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0