ନୂଆପଡ଼ା ରେ ମାଓବାଦୀଙ୍କ ବଡ଼ ଚକ୍ରାନ୍ତ ପଣ୍ଡ :ପୋଲିସ- ସିଆରପିଏଫର ମିଳିତ ଅପରେସନରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ
ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର କୁ ପୋଲିସ ଓ ସୁରକ୍ଷା ବାହିନୀ ସଫଳତାର ସହ ପଣ୍ଡ କରିଛି । ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଏକ ବଡ଼ ଡମ୍ପର ସନ୍ଧାନ ମିଳିଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଆଜି ନୂଆପଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସ୍ଥିତ ଡିଆଇଓସି ମିଟିଂ ଭବନ ରେ ଏସପି ଅମ୍ରିତ ପାଲ୍ ସିଂ ଏବଂ ସିଆରପିଏଫ ୧୯ ବାଟାଲିୟନର କମାଣ୍ଡେଣ୍ଟ ଦୀପକ ମଣି ତ୍ରିପାଠୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରେ ଉପରୋକ୍ତ ସୂଚନା ପ୍ରଦାନ୍ କରାଯାଇଛି । ଜିଲ୍ଲା ପୋଲିସ ଓ ସିଆରପିଏଫ- ୧୯ର ମିଳିତ ନେତୃତ୍ବରେ ଏହି ସଫଳ ଅପରେସନ ସମ୍ପନ୍ନ ହୋଇଛି। ପ୍ରାପ୍ତ ସୂଚନା ଅନୁଯାଇ ଗୁପ୍ତ ସୂଚନା ଆଧାରରେ ବୋଡ଼େନ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲ ଏବଂ ବାରପାଟ ଡଙ୍ଗର ପାହାଡ଼ିଆ ଅଞ୍ଚଳରେ ନୂଆପଡ଼ା ଡିଭିଏଫ୍ ଓ ସିଆରପିଏଫର ବିଡି ଟିମ୍ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଥିଲେ। ସର୍ଜ ବେଳେ ମାଟି ତଳେ ଲୁଚାଇ ରଖାଯାଇଥିବା ମାଓବାଦୀଙ୍କ ଡମ୍ ରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ହେଲା : ୦୨ଟି ଦେଶୀ ବନ୍ଧୁକ ଏବଂ ମାଗାଜିନ ସହ ୦୧ଟି ଦେଶୀ କାରବାଇନ I ଏକେ-୪୭ର ୨୯ ରାଉଣ୍ଡ ଏବଂ ଏସଏଲଆରର ୫୪ ରାଉଣ୍ଡ ଜୀବନ୍ତ ଗୁଳି। ୦୨ଟି ଟିଫିନ ଆଇଇଡି, ୦୮ଟି ଜେଲାଟିନ ଷ୍ଟିକ, ୧.୫ କିଲୋଗ୍ରାମ ଗନ୍ ପାଉଡର ଓ ୟୁରିଆ। ଡେଟୋନେଟର, ସୋଲାର ପ୍ଲେଟ୍, ବ୍ୟାଟେରୀ, ମାଓବାଦୀ ପୋଷାକ, ଔଷଧ ବାକ୍ସ ଓ ମାଓ ସାହିତ୍ୟ। ଏହି ସଫଳତାକୁ ନକ୍ଟଲ ବିରୋଧୀ ଅଭିଯାନରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି । ପୂର୍ବରୁ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ସୁରକ୍ଷା ବାହିନୀ ସୀମାନ୍ତ ଜଙ୍ଗଲ ଅଞ୍ଚଳରେ କ୍ରମାଗତ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି I ଏହାଦ୍ବାରା ମାଓବାଦୀଙ୍କ ଅବଶିଷ୍ଟ ନେଟୱର୍କ କୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରିବା ଲକ୍ଷ୍ୟ ରହିଛି। ଏହି ଅପରେସନରେ ସୁରକ୍ଷା ବାହିନୀର କୌଣସି କ୍ଷତି ହୋଇନଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ସର୍ଜ ଓ କମ୍ବିଂ ଅଭିଯାନ ଅଧିକ ଜୋରଦାର କରାଯିବ ବୋଲି ପୋଲିସ ପ୍ରଶାସନ ସୂଚନା ଦେଇଛି।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0