ଦାଦନ ଯାଇ ୬ ଜୀବନ ଗଲା, ବିପଦରେ ସାରାଙ୍ଗଡ଼ ହସ୍ପିଟାଲ:ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ସହ ନୂତନ ହସ୍ପିଟାଲ ଭବନ ନିର୍ମାଣ ଦାବି; ଜିଲ୍ଲାପାଳଙ୍କୁ ସ୍ୱାକ ର ଦାବିପତ୍ର
ଫୁଲବାଣୀ, ୧୦/୦୮: କନ୍ଧମାଳ ଜିଲ୍ଲାରୁ ଜୀବିକା ସନ୍ଧାନରେ ବାହାର ରାଜ୍ୟକୁ ଯାଇ ଦୁଃଖଦ ମୃତ୍ୟୁବରଣ କରିଥିବା ୬ ଜଣ ଦାଦନ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା, ଥଇଥାନ, ପିଲାଙ୍କ ଶିକ୍ଷା ଓ ସ୍ଥାୟୀ ଜୀବିକାର ସୁଯୋଗ ପ୍ରଦାନ ସହ କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବିପଦସଙ୍କୁଳ ସାରାଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂତନ ଭବନ ନିର୍ମାଣ ଦାବି ହୋଇଛି।ଏନେଇ ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ, ସ୍ୱାକ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକ, ସହ-ସମ୍ପାଦକ ସଞ୍ଜୀବ ଦିଗାଲ ଓ ସଦସ୍ୟ ସନ୍ତୋଷ ଦିଗାଲ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସ୍ୱାକ ପକ୍ଷରୁ କୁହାଯାଇଛି ଯେ, କନ୍ଧମାଳ ଜିଲ୍ଲାରେ ପର୍ଯ୍ୟାପ୍ତ ରୋଜଗାର ଓ ସ୍ଥାୟୀ ଜୀବିକାର ସୁଯୋଗର ଅଭାବ ଯୋଗୁଁ ଅନେକ ଗରିବ ପରିବାର ଜୀବିକା ସନ୍ଧାନରେ ନିଜ ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି। ଏପରି ପ୍ରବାସ ସମୟରେ ଶ୍ରମିକଙ୍କ ସୁରକ୍ଷା ଓ ପରିବାରର ଭବିଷ୍ୟତ ନେଇ ଗୁରୁତର ପ୍ରଶ୍ନ ଉଠୁଛି।ଦାବିପତ୍ରରେ ଉଲ୍ଲେଖ ଅନୁଯାୟୀ, ନିକଟରେ ବାହାର ରାଜ୍ୟରେ କାମ କରୁଥିବା ବେଳେ କନ୍ଧମାଳର ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜି.ଉଦୟଗିରି ବ୍ଲକ୍ କଲିନାଯୁର ସାଗର ପ୍ରଧାନ (୩୪), କତିଙ୍ଗିଆ ପଞ୍ଚାୟତ ରିଶୁଗୁଡ଼ାର ତରୁଣ ପ୍ରଧାନ (୪୮), କ.ନୂଆଗାଁ ବ୍ଲକ୍ ଥାନାସାହି/ସିର୍ତିଗୁଡ଼ାର କସ୍ତୁରୀ ପ୍ରଧାନ (୩୯), ଦାରିଙ୍ଗବାଡ଼ି ବ୍ଲକ୍ ମାଣ୍ଡିପାଙ୍ଗାର ସୀମାଞ୍ଚଳ ନାୟକ (୧୯), ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ପଞ୍ଚାୟତ ପଟାମାହାର ବିଶୋପ ଦିଗାଲ (୪୫) ଏବଂ ଟିକାବାଲି ବ୍ଲକ୍ ଗଦଗୁଡ଼ା ଗ୍ରାମର ଶୁଭଦେବ ପ୍ରଧାନ (୩୫)। ଏମାନଙ୍କ ମଧ୍ୟରୁ କେତେକ କେରଳର ଏର୍ଣ୍ଣାକୁଲମ୍, କେହି ତାମିଲନାଡୁର କୋଏମ୍ବାଟୁର ଏବଂ ଅନ୍ୟମାନେ ହାଇଦ୍ରାବାଦରେ କାମ କରୁଥିବା ବେଳେ ପ୍ରାଣ ହରାଇଥିବା ଦାବିପତ୍ରରେ ଦର୍ଶାଯାଇଛି। ଶୁଭଦେବ ପ୍ରଧାନଙ୍କ ପରିବାରରେ ସ୍ତ୍ରୀଙ୍କ ସହ ଦୁଇ ଛୋଟ ପୁଅ ରହିଥିବାରୁ ପରିବାରର ଭବିଷ୍ୟତ ନେଇ ମଧ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି।ସ୍ୱାକ କହିଛି ଯେ, ପରିବାରର ମୁଖ୍ୟ ଉପାର୍ଜନକ୍ଷମ ସଦସ୍ୟଙ୍କୁ ହରାଇବା ପରେ ଏହି ପରିବାରଗୁଡ଼ିକ ହଠାତ୍ ଗଭୀର ଆର୍ଥିକ ଓ ସାମାଜିକ ସଙ୍କଟରେ ପଡ଼ିଛନ୍ତି। ତେଣୁ କେବଳ ସମବେଦନା ନୁହେଁ, ସରକାରଙ୍କ ପକ୍ଷରୁ ତୁରନ୍ତ ଓ ଦୀର୍ଘମିଆଦୀ ସହାୟତା ଆବଶ୍ୟକ। ସ୍ୱାକ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ନିୟମାନୁସାରେ ଅନୁଗ୍ରହ ରାଶି ଓ ଆର୍ଥିକ ସହାୟତା ପ୍ରଦାନ, ଯୋଗ୍ୟ ସରକାରୀ ଯୋଜନାରେ ସାମିଲ, ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଜୀବିକା କିମ୍ବା ସ୍ୱରୋଜଗାର ସୁଯୋଗ, ମୃତ ଶ୍ରମିକଙ୍କ ପିଲାଙ୍କ ଶିକ୍ଷା ପାଇଁ ସହାୟତା ଓ ଛାତ୍ରବୃତ୍ତି, ଆବାସ, ରାସନ୍ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି। ଏଥିସହ କନ୍ଧମାଳରେ ଯୁବକ-ଯୁବତୀ ଓ ଶ୍ରମିକଙ୍କ ପାଇଁ ସମ୍ମାନଜନକ ରୋଜଗାର ଓ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି, ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ଓ ନିରୀକ୍ଷଣ ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ଜିଲ୍ଲାସ୍ତରରେ ଦାଦନ ଶ୍ରମିକଙ୍କ ପାଇଁ ସକ୍ରିୟ ସହାୟତା ଓ ଅଭିଯୋଗ ନିରାକରଣ ବ୍ୟବସ୍ଥା ଗଠନ ପାଇଁ ଦାବି ହୋଇଛି।ଅନ୍ୟପକ୍ଷରେ, କ.ନୂଆଗାଁ ବ୍ଲକ୍ର ସାରାଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥା ନେଇ ମଧ୍ୟ ସ୍ୱାକ ଗୁରୁତର ଉଦ୍ବେଗ ପ୍ରକାଶ କରିଛି। ବର୍ଷା ହେଲେ ହସ୍ପିଟାଲର ଛାତ ଓ ବିଭିନ୍ନ ସ୍ଥାନରୁ ବର୍ଷାଜଳ ଭିତରକୁ ଗଳି ପଡ଼ୁଛି। ଏହା ଫଳରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ହସ୍ପିଟାଲର କରିଡର ଓ ଯାତାୟାତ ସ୍ଥାନରେ ପାଣି ଜମିବା ଯୋଗୁଁ ରୋଗୀଙ୍କ ସୁରକ୍ଷା, ସ୍ୱଚ୍ଛତା ଓ ସଂକ୍ରମଣ ନିୟନ୍ତ୍ରଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭରଶୀଳ ବୋଲି ସ୍ୱାକ ପକ୍ଷରୁ କୁହାଯାଇଛି। ତେଣୁ ହସ୍ପିଟାଲର ତୁରନ୍ତ ଟେକ୍ନିକାଲ୍ ଓ ଷ୍ଟ୍ରକ୍ଚରାଲ୍ ଯାଞ୍ଚ, ଛାତ ଓ ଡ୍ରେନେଜ୍ର ସ୍ଥାୟୀ ମରାମତି, ନୂତନ ଓ ସୁରକ୍ଷିତ ଭବନ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ଓ ଅର୍ଥ ମଞ୍ଜୁର କରିବାକୁ ଦାବି ହୋଇଛି। ନୂତନ ଭବନ ନିର୍ମାଣ ହେବା ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ସଂଗଠନ ଦାବି କରିଛି।ଦାଦନ ଶ୍ରମିକଙ୍କ ମୃତ୍ୟୁ ଓ ସାରାଙ୍ଗଡ଼ ହସ୍ପିଟାଲର ଅବ୍ୟବସ୍ଥା—ଉଭୟ ପ୍ରସଙ୍ଗରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ସ୍ଥଳ ପରିଦର୍ଶନ, ଉଚ୍ଚସ୍ତରୀୟ ଯାଞ୍ଚ ଏବଂ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ୱାକ ପକ୍ଷରୁ ଦାବି କରାଯାଇଛି।ସ୍ୱାକ ପକ୍ଷରୁ କୁହାଯାଇଛି,କନ୍ଧମାଳର ଶ୍ରମିକମାନେ ଜୀବିକା ପାଇଁ ନିଜ ଜନ୍ମମାଟି ଛାଡ଼ି ଯେପରି ଅସହାୟ ଭାବେ ପ୍ରାଣ ନ ହରାନ୍ତି, ସେଥିପାଇଁ ନିଜ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବା ଆବଶ୍ୟକ। ସେହିପରି ଲୋକଙ୍କ ଜୀବନ ରକ୍ଷାର ଆଶାସ୍ଥଳ ଡାକ୍ତରଖାନା ମଧ୍ୟ ନିରାପଦ ହେବା ଦରକାର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0