ଜଗଦ୍ଧାତ୍ରୀ ମେଳା - ୨୦୨୬ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଉତ୍ତର ଓଡିଶାର ପ୍ରସିଦ୍ଧ ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଂଚିଯାଇଛି I ଏହି ଅବସରରେ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ତଥା ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂଜା ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମେଳା ଅଧ୍ୟକ୍ଷ ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ମେଳାର ରୂପରେଖ ଉପରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ I ଏବର୍ଷ ମା' ଜଗଦ୍ଧାତ୍ରୀଙ୍କ ୭୪ତମ ପୂଜା ଚଳିତ ମାସ ୧୮ ତାରିଖ ଅଁଳା ନବମୀ ଦିନ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ I ଏହି ଅବସରରେ ୩୨ତମ ମେଳା ଚଳିତ ମାସ ୨୨ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ I ଚିପଟ ନଦୀରୁ ମା' ଙ୍କ ଘଟ ଉତ୍ତୋଳନ ପରେ ଏକ ଶୋଭାଯାତ୍ରାରେ ଚିପଟ ଅସ୍ତିଆ ଠାରୁ ଭଞ୍ଜପୁର ମେଳା ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଏହି କାର୍ଯ୍ୟକ୍ରମରେ ପୁରୀର ଘୋଷ ଘଣ୍ଟୁଆ, ଢେଙ୍କାନାଳର ସିଂହବାଜା, ଛତିଶଗଡ଼ର ଝାଙ୍କି ଗ୍ରୁପ, ମୟୁରଭଞ୍ଜର ଛଉ ବାଜା, ସଂକୀର୍ତନ, ମେଦିନୀପୁରର ଢାକ ବାଜା ଓ ବାରିପଦାର ସଂସ୍କୃତ ବେଦ ପାଠ ବ୍ରାହ୍ମଣ ସମାଜ ଯୋଗଦେବେ I ପ୍ରତ୍ୟେକ ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଦ୍ୱାରା, ଆଦିବାସୀ, ଝୁମର, ଭଜନ, ନୃତ୍ୟ ତଥା ଇଣ୍ଡିଆନ ଅଇଡ଼ଲର କଣ୍ଠଶିଳ୍ପୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ଜଣାଇଥିଲେ I ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିଵେଟ, କୁଇଜ, ଚିତ୍ରାଙ୍କନ ଓ ଗୀତ ପ୍ରତିଯୋଗିତା ୧୯ ରୁ ୨୧ ମଧ୍ୟରେ ଅନୁଷ୍ଠିତ ହେବ I ମେଳାରେ ଓଡିଶା ସମେତ ରାଜ୍ୟ ବାହାରୁ ୪୦ଟି ସରକାରୀ ଓ ୨୯୦ଟି ବେସରକାରୀ ଷ୍ଟଲ ପ୍ରଦର୍ଶିତ ହେବ ବୋଲି ଷ୍ଟଲ ସମ୍ପାଦକ ସତ୍ୟବ୍ରତ ଧଳ ଜଣାଇଛନ୍ତି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କମିଟି ତରଫରୁ ରକ୍ତଦାନ ଶିବିରର ଆୟୋଜନ କରାଯିବ I ମେଳାରେ ଦର୍ଶକଙ୍କ ସୁରକ୍ଷା ପାଇଁ ସି ସି କ୍ୟାମେରା, ନିଆଁ ଲିଭା ଯନ୍ତ୍ରର ବ୍ୟବସ୍ଥା କରାଯାଇଛି I ମେଳାର ସଫଳତା ପାଇଁ ରେଳ ବିଭାଗ, ବିଦ୍ୟୁତ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବାରିପଦା ମୁନିସିପାଲିଟି, ଅଗ୍ନିଶମ ବିଭାଗର ସହଯୋଗ କାମନା କରିବେ ବୋଲି ମେଳା ଅଧ୍ୟକ୍ଷ ଶ୍ରୀ ମାରାଣ୍ଡି ପ୍ରକାଶ କରିଥିଲେ I ଶାନ୍ତିଶୃଙ୍ଖଳାର ସହ ପୂଜା ଓ ମେଳାକୁ ଉପଭୋଗ କରିବା ପାଇଁ ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାରାଣ୍ଡି ଅନୁରୋଧ କରିଛନ୍ତି I ହଁଙ୍ଗେରି ପାର୍ଲିଆମେଣ୍ଟ ସଦୃଶ ତୋରଣ ଏବର୍ଷର ବିଶେଷ ଆକର୍ଷଣ ହେବ ବୋଲି କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଜଣାଇଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0