ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଘାଟିତ

Nov 15, 2026 - 22:29
 0  1
ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଘାଟିତ

ନୂଆପଡ଼ା : ଯୁବ ପ୍ରତିଭାର ବିକାଶ, କଳା ଓ ଲୋକସଂସ୍କୃତିର ପ୍ରୋତ୍ସାହନ ତଥା ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ସୃଜନଶୀଳତା ବୃଦ୍ଧି ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ, ନୂଆପଡ଼ାର ମିଳିତ ସହଯୋଗରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ରହିଛି ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’। ଉଦ୍‌ଘାଟନୀ ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଉତ୍ସବ ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭା ଓ ନେତୃତ୍ୱ ଦକ୍ଷତାର ବିକାଶ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ମନୋନୀତ ପ୍ରତିଯୋଗୀମାନେ ଏଥିରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବେ ଏବଂ ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ। ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯୁବପିଢ଼ି ନିଶାମୁକ୍ତ ରହି ଦେଶ ଗଠନରେ ସକ୍ରିୟ ଭାବେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଡ. ସୋନିଆ ଜୈନ, ନୂଆପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷା ତରେଶ୍ୱରୀ ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଯୋଗଦେଇଥିଲେ। ଅଧ୍ୟକ୍ଷା ଡ. ସୋନିଆ ଜୈନ ନିଜ ଅଭିଭାଷଣରେ ଯୁବଶକ୍ତିକୁ ଦେଶର ଅମୂଲ୍ୟ ସମ୍ପଦ ଭାବେ ବର୍ଣ୍ଣନା କରି ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଯୁବସମାଜକୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ ଦେବା ସହ ବେଦ, ଉପନିଷଦ, ରାମାୟଣ ଓ ମହାଭାରତ ଭଳି ପ୍ରାଚୀନ ଗ୍ରନ୍ଥରେ ନିହିତ ଜ୍ଞାନ ଓ ବିଜ୍ଞାନ ଆମ ସମୃଦ୍ଧ ଐତିହ୍ୟର ପରିଚୟ ବହନ କରେ ବୋଲି କହିଥିଲେ। ନୂଆପଡ଼ାର ପ୍ରାଚୀନ ଶିକ୍ଷା ଓ ଐତିହାସିକ ଗୁରୁତ୍ୱକୁ ମନେ ପକାଇ ଯୁବପିଢ଼ି ପରମ୍ପରା ଓ ଆଧୁନିକତାର ସମନ୍ୱୟରେ ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ କବିତା ଲିଖନ, ଦଳଗତ ଲୋକସଙ୍ଗୀତ, ଦଳଗତ ଲୋକନୃତ୍ୟ, ନୁକ୍କଡ଼ ନାଟକ ଓ ଚିତ୍ରାଙ୍କନ ସମେତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଯୁବକ ଯୁବତୀ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉତ୍ସବ ଅବସରରେ ଜିଲ୍ଲାର ଶ୍ରେଷ୍ଠ ରକ୍ତଦାତା କିଶୋର କୁମାର ପରିଡ଼ା, ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମୋହନ କୁମାର ମହାନ୍ତ ଏବଂ ମାଗୁରପାଣି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମହତାବ ଆଡ଼ଜୁଆଡ଼ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ତଥା ପର୍ଯ୍ୟଟନ ଅଧିକାରୀ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲାର ଅଭିଜ୍ଞ ବିଚାରକମାନେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ। ଶଙ୍କର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିବାବେଳେ ମାଇ ଭାରତର କର୍ମକର୍ତ୍ତା ଓ ଯୁବ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ସୁପରିଚାଳନା କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ