ସୁନାବେଡ଼ା ଆହାର କେନ୍ଦ୍ରରେ ଭାତରୁ ବାହାରିଲା ପୋକ; ୧୫ ଦିନ ହେଲା ପାଣି ଅଚଳ, ଦୁର୍ଗନ୍ଧରେ ଫାଟୁଛି ପରିସର
ଆହାର କେନ୍ଦ୍ର ଖାଦ୍ୟ ରେ ପୋକ, ଶୌଚାଳୟ ଅଚଳ; ନିରବ ଦ୍ରଷ୍ଟା ସାଜିଛନ୍ତି ଅଧିକାରୀ ।ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ କମ୍ ମୂଲ୍ୟରେ ପେଟପୂରା ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା 'ଆହାର' ଯୋଜନା ସୁନାବେଡ଼ା କ୍ଷେତ୍ରରେ ଅବ୍ୟବସ୍ଥା ରେ ଚାଲିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ବାହାରିବା, ୧୫ ଦିନ ଧରି ପାଣି ସମସ୍ୟା ଲାଗି ରହିବା ଏବଂ ଶୌଚାଳୟ ଅଚଳ ହୋଇପଡ଼ିବା ଭଳି ସଙ୍ଗୀନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ସୁନାବେଡ଼ା ଆହାର କେନ୍ଦ୍ର ।ଶୁକ୍ରବାର ଦିନ ଆହାର କେନ୍ଦ୍ରରେ ଖାଦ୍ୟ ଖାଉଥିବା ବେଳେ ସେମିଳିଗୁଡ଼ା ଅଞ୍ଚଳର ପ୍ରମୋଦ କୁମାର କାଡ଼ାମଙ୍କ ଭାତରୁ ଏକ ପୋକ ବାହାରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ; ଏହା ପୂର୍ବରୁ କୃଷ୍ଣ ଖରା ଏବଂ ପ୍ରଶାନ୍ତ ତୁରୁକଙ୍କ ଭାତରୁ ମଧ୍ୟ ପୋକ ବାହାରିଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ଏଭଳି ଖାଦ୍ୟ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ କେନ୍ଦ୍ର ପରିଚାଳନାରେ କୌଣସି ସୁଧାର ଆସୁନାହିଁ ।ଅନ୍ୟପଟେ, ଗତ ୧୫ ଦିନ ଧରି ଆହାର କେନ୍ଦ୍ରରେ ପାଣି ଯୋଗାଣ ଅଚଳ ହୋଇପଡ଼ିଛି। ଫଳରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସମଗ୍ର ଆହାର କେନ୍ଦ୍ର ଗୃହ ଦୁର୍ଗନ୍ଧରେ ଭାସୁଛି। ପାଣି ସମସ୍ୟା ସମ୍ପର୍କରେ କାର୍ଯ୍ୟରତ କର୍ମୀମାନେ ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା କର୍ମୀମାନେ ପ୍ରକାଶ କରିଛନ୍ତି ।ସେହିପରି କେନ୍ଦ୍ର ନିକଟରେ ଥିବା ଶୌଚାଳୟ ବର୍ଷ ବର୍ଷ ଧରି ଖୋଲା ଯାଉ ନ ଥିବାରୁ ଖାଦ୍ୟ ଖାଇବାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ଲୋକମାନେ ଶୌଚାଳୟ ପଛପଟ କାନ୍ଥରେ ପରିଶ୍ରା କରୁଥିବା ଦେଖିବାକୁ ମିଳୁଛି, ଯାହା ପରିବେଶକୁ ଆହୁରି ଅସ୍ୱାସ୍ଥ୍ୟକର କରୁଛି। ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନେଇ ଏଭଳି ଖାମଖିଆଲ ମନୋଭାବକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏଥିରେ ହସ୍ତକ୍ଷେପ କରି ପାଣି ଓ ଶୌଚାଳୟ ସମସ୍ୟାର ସମାଧାନ କରିବା ସହ ଖାଦ୍ୟର ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି।ଗରିବଙ୍କ ପେଟକୁ ଦାନା ଦେଉଥିବା ଆହାର କେନ୍ଦ୍ରରେ ଏବେ ପୋକ ଭାତ! ୧୫ ଦିନ ହେଲା ପାଣି ବନ୍ଦ, ଦୁର୍ଗନ୍ଧରେ ଫାଟୁଛି ପରିସର ଆଉ ଶୌଚାଳୟ ବି ତାଲା ବନ୍ଦ। ସୁନାବେଡ଼ା ଆହାର କେନ୍ଦ୍ରର ଏଭଳି ଚରମ ଅବ୍ୟବସ୍ଥା ଏବେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0