।। ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ।।

Nov 1, 2024 - 16:44
 0  41
।। ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ।।

ବାରିପଦା: ୦୧.୧୧.୨୦୨୪// ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୮ ତାରିଖରେ ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାରିପଦା ପୌରପାଳିକା, ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ନିର୍ଦ୍ଧରିତ କାର୍ଯ୍ୟସୂଚୀ ଅନୁସାରେ, ଏହି ସାଧାରଣ ସଭା ପୂର୍ବରୁ ଛାତ୍ର ଛାତ୍ରୀ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ନେଇ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଏହି ରାଲିରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏବଂ ସ୍ୱୟଂ ସହାୟକ ମହିଳା ସଦସ୍ୟ ଅଂଶ ଗ୍ରହଣ କରି ଦୁର୍ନୀତି ବିରୋଧୀ ସଚେତନତା ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ। ଆୟୋଜିତ ସଭାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ବାରିପଦା ଭିଜିଲାନ୍ସ ୟୁନିଟ) ଶ୍ରୀ ହରେକୃଷ୍ଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ପାଳନୀୟ କାର୍ଯ୍ୟକ୍ରମରୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମରେ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉଦବୋଧନ ଦେଇଥିବା ବେଳେ ନଗରପାଳ ଶ୍ରୀ ମହାନ୍ତି ଦୁର୍ନୀତିକୁ କିପରି ତୃଣମୂଳ ସ୍ତରରେ ରୋକା ଯାଇପାରିବ, ସେ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ-ବିଭାଗ ସଂଯୋଜନାରେ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ ହୋଇଥିଲା ସେଥିରେ କୃତକାର୍ଯ୍ୟ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଆଜିର ଏହି ସାଧରଣ ସଭାରେ ପୁରସ୍କୃତ କରାଯାଇଥିଲା ଏହି ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ସଂଚାଳନ କରିଥିବା ବେଳେ ଭିଜିଲାନ୍ସ ନିରୀକ୍ଷକ ଶ୍ରୀ ବିକାଶ ସ୍ୱାଇଁ ଧନ୍ୟବାଦ୍ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବାରିପଦା ଭିଜିଲାନ୍ସ ୟୁନିଟର ଲଳିତ ରାଉତ , ବ୍ରଜ ପଟ୍ଟନାୟକ, ପ୍ରଶାନ୍ତ ଦଣ୍ଡପାଟ, ଜୟନ୍ତ ପୃଷ୍ଟିଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଗଣ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ସୂଚନା ଥାଉକି, ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟବାସୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି ” ବା “Culture of Integrity for Nation's Prosperity” ପ୍ରସଙ୍ଗ ଆଧାରରେ ମୟୂରଭଞ୍ଜରେ ସମସ୍ତ ବିଭାଗୀୟ, ଉପବିଭାଗୀୟ, କାର୍ଯ୍ୟାଳୟ ମୁଖ୍ୟ, ସରକାରୀ ମୁଖ୍ୟ ଓ ମୁଖ୍ୟ କାର୍ଯ୍ୟାଳୟ, ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କରେ କାର୍ଯ୍ୟାରତ ସମସ୍ତ ଅଧିକାରୀଙ୍କୁ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ସାଧୁତାର ଶପଥ ପାଠ କରାଇଥିଲେ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ