ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର:୬୫ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ସହାୟତା
ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ ଓ ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଶିବିରରେ ମୋଟ ୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଏବଂ ୧୮ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହାସହ ଜିଲ୍ଲାପାଳ ପୂର୍ବରୁ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରଗୁଡ଼ିକରେ ପ୍ରାପ୍ତ ଅଭିଯୋଗର ଫଇସଲା ସ୍ଥିତିର ସମୀକ୍ଷା କରିଥିଲେ। ବିଚାରାଧୀନ ରହିଥିବା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସୌଭାଗ୍ୟା ପାହାରିଆ ଏବଂ କ୍ଷୀରସାଗର ସାଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତାର ଚେକ୍ ପ୍ରଦାନ କରାଯାଇଥିଲା। ଶିବିର ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଏବଂ ଆୟୁଷ୍ମାନ ଆରୋଗ୍ୟ ଶିବିରର ଆୟୋଜନ କରାଯାଇଥିଲା। ଉପସ୍ଥିତ ନାଗରିକମାନେ ଏହି ସେବାର ସୁଯୋଗ ଗ୍ରହଣ କରିଥିଲେ। ଡେପୁଟି ଜିଲ୍ଲାପାଳ ରୋଶନ କୁମାର ଜେନା, ବୋଡ଼େନ ବିଡିଓ ଚିନ୍ମୟ ସାଗର ଓ ତହସିଲଦାର ସରିତା ଗୁପ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0