ଜିଲ୍ଲାସ୍ତରୀୟ 'ବେଟି ବଚାଓ, ବେଟି ପଢ଼ାଓ' ସମନ୍ୱୟ ବୈଠକ

Aug 18, 2026 - 20:28
 0  17
ଜିଲ୍ଲାସ୍ତରୀୟ 'ବେଟି ବଚାଓ, ବେଟି ପଢ଼ାଓ' ସମନ୍ୱୟ ବୈଠକ

ଝାରସୁଗୁଡ଼ା, ୧୮/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମଏଫ୍ ଅଡିଟୋରିୟମ ହଲ୍‌ଠାରେ ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ପକ୍ଷରୁ 'ବେଟି ବଚାଓ, ବେଟି ପଢ଼ାଓ' ଯୋଜନାର ଏକ ଜିଲ୍ଲାସ୍ତରୀୟ କନଭରଜେନ୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ସୋରେଙ୍ଗ ଏବଂ ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ ଏକ୍କା ସ୍ୱାଗତ ଭାଷଣ ପ୍ରଦାନ କରି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ବାଳିକାମାନଙ୍କ ଉଚ୍ଚ ଶିକ୍ଷା, ନାରୀ ସଶକ୍ତୀକରଣ ଏବଂ ସମାଜରେ ମହିଳାମାନଙ୍କ ସମାନ ଅଧିକାର ତଥା ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ସର୍ବଦା ତତ୍ପର ଥିବା ଉଲ୍ଲେଖ କରି ସେ ମହିଳା ହେଲ୍ପଲାଇନ ନମ୍ବର ୧୮୧, ଶିଶୁ ସୁରକ୍ଷା ହେଲ୍ପଲାଇନ ୧୦୯୮ ଏବଂ ଜରୁରୀକାଳୀନ ସେବା ୧୧୨ ର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ସୋରେଙ୍ଗ ଏହି ଅଭିଯାନକୁ ଗ୍ରାମାଞ୍ଚଳ ଓ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଭାବେ ପହଞ୍ଚାଇବା ଉପରେ ଜୋର ଦେଇଥିଲେ। ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ବୈଠକକୁ ସମ୍ବୋଧିତ କରି ଜିଲ୍ଲାରେ ଶିଶୁ କନ୍ୟା ଲିଙ୍ଗାନୁପାତ ବୃଦ୍ଧି କରିବା, ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ଶିକ୍ଷା କ୍ଷେତ୍ରରେ ଝାରସୁଗୁଡ଼ାକୁ ରାଜ୍ୟ ତଥା ଦେଶରେ ଏକ 'ମଡେଲ ଜିଲ୍ଲା' ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ, ଡିଏସପି ଶ୍ରୀମତୀ ମନ୍ଦା ହାଁସଦା ମହିଳା ଓ କିଶୋରୀମାନଙ୍କୁ ସାଇବର ବୁଲିଇଙ୍ଗ୍ ଏବଂ ଅନଲାଇନ୍ ଠକେଇ ପ୍ରତି ସତର୍କ ରହିବା ନେଇ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସମନ୍ୱୟ ବୈଠକରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, CDM & PHO ର ଆଇନ ବ୍ୟାପାର ପରିଚାଳକ ସୋମଦତ୍ତ ପୁରୋହିତ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ତଥା ପ୍ଲାନିଂ ସଂଯୋଜକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, OLM ର DPM ଡ. ପୁଷ୍ପଶ୍ରୀ ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହଙ୍କ ସମେତ ବହୁ ସଂଖ୍ୟାରେ କିଶୋରୀ ବାଳିକା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁ ଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ