ସୀତାକୁଣ୍ଡର ପୁନର୍ବିକାଶ, ଜାଫ୍ରା ଚାଷର ବିକାଶ ଓ ଭିବି-ଜି ରାମ-ଜି ଯୋଜନା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ଗସ୍ତ
*ମାଲକାନଗିରି,୧/୧୦/୨୬:* ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଜିଲ୍ଲାର ପର୍ଯ୍ୟଟନ, କୃଷି ଏବଂ ଆଦିବାସୀ ସଶକ୍ତିକରଣ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଗସ୍ତ ଅନୁଷ୍ଠିତ ହୋଇଯାଇଛି। ଖଇରପୁଟ ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡର ଐତିହାସିକ, ସାଂସ୍କୃତିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖି ଏହାର ସର୍ବାଙ୍ଗୀନ ପୁନର୍ବିକାଶ ପାଇଁ ଜିଲ୍ଲାପାଳଙ୍କ ସହ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ର କର୍ମକର୍ତ୍ତା, ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ବୃନ୍ଦ ଏବଂ ଭୁବନେଶ୍ୱରରୁ ଆସିଥିବା ସ୍ଥାପତ୍ୟ ବିଶେଷଜ୍ଞ ଟିମ୍ ସାଇଟ୍ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଭୌତିକ ଭିତ୍ତିଭୂମି, ସୌନ୍ଦର୍ଯ୍ୟୀକରଣ, ପର୍ଯ୍ୟଟକଙ୍କ ସୁବିଧା ଏବଂ ପରିବେଶ-ଅନୁକୂଳ ପୁନର୍ବିକାଶ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ୍ ଚିତ୍ରକୋଣ୍ଡା ବ୍ଲକର ପୋପଲୁର ଗ୍ରାମ ପରିଦର୍ଶନ କରି ପୋପଲୁର, କୁର୍ମାନୁର ଏବଂ କପାତୁଟି ପଞ୍ଚାୟତର ଆଦିବାସୀ ହିତାଧିକାରୀମାନଙ୍କ ସହ ଏକ ବିଶେଷ ବୈଠକରେ ଯୋଗଦେଇଥିଲେ। ଭିବି-ଜି ରାମ-ଜି ଯୋଜନା ମାଧ୍ୟମରେ ଆଦିବାସୀ ହିତାଧିକାରୀଙ୍କୁ ମଜୁରି ପ୍ରଦାନ, ମଣ୍ଡି ଓ ଶୁଖାଇବା ଅଙ୍ଗନ ନିର୍ମାଣ, ଜୋବ୍ କାର୍ଡ ପ୍ରଦାନ ଏବଂ କ୍ୟାମ୍ପ ମୋଡ୍ରେ ଆଧାର ଅପଡେଟ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଜାଫ୍ରା ଚାଷୀମାନେ ଯେପରି କେବଳ ମଣ୍ଡି କିମ୍ବା ବାହାର ରାଜ୍ୟର ବ୍ୟବସାୟୀଙ୍କ ଉପରେ ନିର୍ଭର ନକରି ସିଧାସଳଖ ଅଧିକ ଲାଭବାନ ହୋଇପାରିବେ, ସେଥିପାଇଁ ଏକ କୃଷି ସଂସ୍ଥାର ପ୍ରତିନିଧିଙ୍କ ସହ ସହଭାଗିତା ସ୍ଥାପନ କରାଯାଇଛି, ଯାହା ଜାଫ୍ରାରୁ ଗୁଣ୍ଡ ଓ କ୍ରିଷ୍ଟାଲ୍ ପରି ମୂଲ୍ୟବର୍ଦ୍ଧିତ ସାମଗ୍ରୀ ପ୍ରସ୍ତୁତ କରି ସିଧାସଳଖ ବଜାର ସଂଯୋଗୀକରଣ ସୁନିଶ୍ଚିତ କରିବ। ଗସ୍ତ ଶେଷରେ ଟିମ୍ ପୋପଲୁର ପଞ୍ଚାୟତର କାଟାଗୁଡ଼ା ଠାରେ ବୃକ୍ଷରୋପଣ ସାଇଟ୍ ଅନୁଧ୍ୟାନ କରିବା ସହ ନିକଟସ୍ଥ ଏକ ମନୋରମ ସନ୍ଦର୍ଶନ ସ୍ଥଳ (ଭିୟୁ ପଏଣ୍ଟ) ର ଚିହ୍ନଟ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ସୀତାକୁଣ୍ଡର ପ୍ରାକୃତିକ ଐତିହ୍ୟକୁ ସୁରକ୍ଷିତ ରଖି ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା, ଆଦିବାସୀ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସିଧାସଳଖ ଲାଭ ପହଞ୍ଚାଇବା ଏବଂ ଜାଫ୍ରା ଚାଷର ମୂଲ୍ୟ ସଂଯୋଗ ମାଧ୍ୟମରେ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥୀ ସାରବୂ, ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତା କୁମାର, ଆଇଟିଡିଏ ଅଧିକାରୀ ବିଶ୍ୱନାଥ ମିଶ୍ର ଏବଂ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ଵୟଂ ସିଦ୍ଧ ରାଉତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0