ବାରିପଦା ପୌରପାଳିକାରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କାର୍ଯ୍ୟାଦେଶ ରଦ୍ଦ କରି ପୁନଃ ଟେଣ୍ଡର ପାଇଁ ଠିକାଦାରଙ୍କ ଦାବି
ବାରିପଦା ତା ୯/୯() ବାରିପଦା ପୌରପାଳିକା ଅଧୀନରେ ବିଭିନ୍ନ ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ପାତରଅନ୍ତର କରାଯାଇଥିବା ନେଇ ସ୍ଥାନୀୟ ଠିକାଦାର ମାନଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଜିଲ୍ଲା ପାଳଙ୍କ ଠାରେ ଦାୟର କରାଯାଇଛି. ଅଭିଯୋଗ ଅନୁଯାୟୀ, ଗତ ତା ୧୮/୦୮/୨୦୨୬ ତାରିଖରେ ବିଜ୍ଞପ୍ତି ସଂଖ୍ୟା ୧୩୭୦ ଜରିଆରେ ପୌର ପ୍ରଶାସନ ପକ୍ଷରୁ ଏକାଧିକ ଉନ୍ନୟନ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା. ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଠିକାଦାର ମାନେ ଯଥାରୀତି କାଗଜପତ୍ର ଦାଖଲ କରିଥିଲେ ହେଁ, ନିର୍ଦ୍ଧାରିତ ନିୟମାବଳୀକୁ ଉଲ୍ଲଂଘନ କରି କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଅନ୍ୟାୟ ଭାବେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି. ବିଶେଷ କରି ୧୫ ନମ୍ବର ୱାର୍ଡ଼ର ପାଇଲଟ ସାହି ସ୍କୁଲ ନିକଟସ୍ଥ ସନତ ଜେନାଙ୍କ ଘରଠାରୁ ଗୋପୀନାଥ ଗିରିଙ୍କ ଘର ପର୍ଯ୍ୟନ୍ତ ଗାର୍ଡ ୱାଲ ସହ ସିସି ରୋଡ ନିର୍ମାଣ, ୨୬ ନମ୍ବର ୱାର୍ଡ଼ର ତପନ ବାବୁଙ୍କ ଘରଠାରୁ ଅରୁଣ କୁମାର ମିଶ୍ରଙ୍କ ଘର ପର୍ଯ୍ୟନ୍ତ ଗାର୍ଡୱାଲ ନିର୍ମାଣ ଏବଂ ୯ ନମ୍ବର ୱାର୍ଡ଼ର ସ୍ମାର୍ଟ ପାର୍କ ଭିତରେ କମ୍ପାଉଣ୍ଡ ୱାଲ ନିର୍ମାଣ କାର୍ଯ୍ୟ ପାଇଁ ଦକଯାଇଥିବା ଟେଣ୍ଡରରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ ବୋଲି ଦର୍ଶାଯାଇଛି. ଏହି ସମସ୍ତ କାର୍ଯ୍ୟରେ ଯୋଗ୍ୟ ବିବେଚିତ ଅନ୍ୟାନ୍ୟ ଠିକାଦାର ମାନଙ୍କ ଆବେଦନକୁ କୌଣସି ଯଥାର୍ଥ କାରଣ ନଦର୍ଶାଇ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ମାତ୍ର କେତେଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଟେଣ୍ଡର ପ୍ରକ୍ରିୟାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି. ପୌରପାଳିକାର ଚେୟାରମ୍ୟାନଙ୍କ ନିର୍ଦ୍ଦେଶରେ ଏହି ଟେଣ୍ଡର ପ୍ରକ୍ରିୟା ପରିଚାଳିତ ହୋଇଥିବା ବେଳେ ଟେଣ୍ଡର କମିଟିର ମୁଖ୍ୟ ତଥା ନିର୍ବାହୀ ଅଧିକାରୀ, ପୌରଯନ୍ତ୍ରୀ, ତହସିଲଦାର ଏବଂ ସହକାରୀ ଜିଏସଟି କମିଶନରଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି. ସ୍ଥାନୀୟ ଠିକାଦାର ପ୍ରଦୀପ କୁମାର ମହାନ୍ତ, ଜୟନ୍ତ ଲେଙ୍କା, ଅଭିଷେକ ମଣ୍ଡଳ, ପ୍ରସନ୍ନ କୁମାର ବେହେରା, ରାଜେନ୍ଦ୍ର ପ୍ରଧାନ ଏବଂ ଅମର କୁମାର ପଟ୍ଟନାୟକ ପ୍ରମୁଖ ଏହି ବେଆଇନ କାର୍ଯ୍ୟାଦେଶକୁ ତୁରନ୍ତ ବାତିଲ କରିବା ସହିତ ସରକାରୀ ନିୟମାନୁଯାୟୀ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପୁନଃ ଟେଣ୍ଡର ପ୍ରକ୍ରିୟା ସମ୍ପାଦନ କରିବାକୁ ଜୋରଦାର ଦାବି ଜଣାଇଛନ୍ତି. ତେବେ ଏବାବଦରେ ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଆଜିର ଟେଣ୍ଡର ପ୍ରକ୍ରିୟାରେ ସେ ଉପସ୍ଥିତ ନଥିଲେ ଏଣୁ ଏହାକୁ ବାତିଲ କରାଯାଇଥିବା ଏବଂ ଏନେଇ ପୁନଃ ଟେଣ୍ଡର କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0