ନୂଆପଡ଼ା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ:ଡିସେମ୍ବର ୧୧ରୁ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ୫୭,୫୪୨ ଚାଷୀ ପଞ୍ଜୀକୃତ

Nov 22, 2026 - 20:21
 0  3
ନୂଆପଡ଼ା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ:ଡିସେମ୍ବର ୧୧ରୁ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ୫୭,୫୪୨ ଚାଷୀ ପଞ୍ଜୀକୃତ

ନୂଆପଡ଼ା ଜିଲ୍ଲାରେ ୨୦୨୬-୨୭ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଚାଷୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକ ଆଜି ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ମାନ୍ୟବର କଳାହାଣ୍ଡି ସାଂସଦ ମାଲବିକା ଦେବୀ, ମାନ୍ୟବର ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ମାନ୍ୟବର ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଳି ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା କୃଷି ଅଧିକାରୀ, ଯୋଗାଣ, ସମବାୟ, ଜଳସେଚନ, ଏଫ୍‌ସିଆଇ, ଆର୍‌ଏମ୍‌ସି ଓ ବ୍ୟାଙ୍କ ବିଭାଗର ଅଧିକାରୀଙ୍କ ସମେତ ଚାଷୀ ଓ ମିଲର୍ ପ୍ରତିନିଧିମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗର ସମନ୍ୱିତ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୫୭,୫୪୨ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷର ୫୧,୩୪୧ ଜଣ ପଞ୍ଜୀକୃତ ଚାଷୀଙ୍କ ତୁଳନାରେ ଏଥର ୬,୨୦୧ ଜଣ ଅଧିକ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ପଞ୍ଜୀକରଣରେ ୧୨.୦୮ ପ୍ରତିଶତ ବୃଦ୍ଧି ଘଟିଛି। ଜିଲ୍ଲାର ୨୬ଟି ପ୍ୟାକ୍ସ ଅଧୀନରେ ୭୭ଟି ଧାନ ସଂଗ୍ରହ କେନ୍ଦ୍ର (ପିପିସି) ତଥା ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାରେ ଡିସେମ୍ବର ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମ ଧାନ ସଂଗ୍ରହ ଖରିଆର ରୋଡ୍ ମଣ୍ଡିରୁ ଆରମ୍ଭ କରାଯିବ। ପ୍ରତ୍ୟେକ ପ୍ୟାକ୍ସ ପାଇଁ ସପ୍ତାହରେ ୫ ଦିନ ମଣ୍ଡି ପରିଚାଳନା କରାଯିବ। ଚଳିତ ଋତୁରେ ସାଧାରଣ ମାନର ଧାନ ପାଇଁ କ୍ୱିଣ୍ଟାଲ ପ୍ରତି ୨,୪୪୧ ଟଙ୍କା ଏବଂ ଗ୍ରେଡ୍ ‘ଏ’ ଧାନ ପାଇଁ ୨,୪୬୧ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଧାର୍ଯ୍ୟ କରାଯାଇଛି। ଚାଷୀଙ୍କୁ ଟୋକନ୍‌ ସମ୍ପର୍କିତ ସୂଚନା ଓଡ଼ିଆ ଭାଷାରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରାୟ ୭ ଦିନ ପୂର୍ବରୁ ପ୍ରଦାନ କରାଯିବ। ଟୋକନ୍‌ର ବୈଧତା ଏକ ମାସ ରହିବ। ଧାନ କ୍ରୟ ସମୟରେ ଚାଷୀଙ୍କ ପରିଚୟ ବାୟୋମେଟ୍ରିକ୍ କିମ୍ବା ଆଇରିସ୍ ଯାଞ୍ଚ ମାଧ୍ୟମରେ ନିଶ୍ଚିତ କରାଯିବ। ଧାନ ବିକ୍ରୟ ପରେ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ NPCI ପ୍ଲାଟଫର୍ମ ମାଧ୍ୟମରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ପ୍ରଦାନ କରାଯିବ। ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ ଯେ, ଡିସେମ୍ବର ୧୧ରୁ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସମସ୍ତ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଇଛି। ମଣ୍ଡିରେ ଯେକୌଣସି ସମସ୍ୟାର ସମାଧାନ ପାଇଁ ନୋଡାଲ୍ ଅଧିକାରୀ ନିଯୁକ୍ତ ରହିବେ। ଅନ୍ୟ ରାଜ୍ୟରୁ ଅବୈଧ ଧାନ ପରିବହନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯିବ। ବୈଠକରେ ସମସ୍ତ ବିଡିଓ, ତହସିଲଦାର, ଧାନ ସଂଗ୍ରହ କମିଟିର ସଦସ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଯୋଗାଣ ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ