ଥୁଆମୂଳ ରାମପୁରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬: ଅଧିକାରୀଙ୍କ ଅନୁପସ୍ଥିତି ଓ 'କୁକୁଡ଼ା ବିହୀନ ଘର' ନେଇ ବର୍ଷିଲେ ବିଧାୟକ ପ୍ରତିନିଧି; ଅଫଲାଇନ ଆବେଦନ ଦାବି

Nov 28, 2026 - 19:53
 0  14
ଥୁଆମୂଳ ରାମପୁରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬: ଅଧିକାରୀଙ୍କ ଅନୁପସ୍ଥିତି ଓ 'କୁକୁଡ଼ା ବିହୀନ ଘର' ନେଇ  ବର୍ଷିଲେ ବିଧାୟକ ପ୍ରତିନିଧି; ଅଫଲାଇନ ଆବେଦନ ଦାବି

ଥୁଆମୂଳ ରାମପୁର, ୨୮/୧୧(ମିଥୁଲା ନାଏକ ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମଠାରେ ଶୁକ୍ରବାର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ପଟେ ସରକାରୀ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଇବା ସହ ସହାୟତା ବଣ୍ଟନ କରାଯାଇଥିବା ବେଳେ, ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଓ ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ସଭାମଞ୍ଚ ଏବଂ ଗଣମାଧ୍ୟମ ସମ୍ମୁଖରେ ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ କଲମପୁର ଏଲ୍.ଟି. ଲାଇଭ୍‌ଷ୍ଟକ୍ ଟେକ୍ନିସିଆନ୍ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ, ମୁଖ୍ୟ ବକ୍ତା ଭାବରେ ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସଲା, ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ମଣ୍ଡଳ ସଭାପତି ଦୟାନିଧି ଭୋଇ, ପୁଷ୍ପ ନାଏକ, ବିପିନ ବିହାରୀ ନାଏକ, ଡମ୍ବରୁଧର ମହାରଣା ଏବଂ ରାଧାକାନ୍ତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ) ଡା. ସନ୍ୟାସୀ ଶତପଥୀ, ଜିଲ୍ଲା ତାଲିମ ସଂଯୋଜକ କେଦାରନାଥ ଖମାରୀ ଏବଂ ଜିଲ୍ଲା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ଡା. ଲିମନ ଚନ୍ଦ୍ରାକାର ଯୋଗଦେଇ ସରକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୬୦୦ ମତ୍ସ୍ୟ ଓ ପ୍ରାଣୀପାଳନ ଚାଷୀଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ୫ ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ ୩ ଜଣ ପ୍ରାଣିସମ୍ପଦ ଓ ୨ ଜଣ ମତ୍ସ୍ୟ ବିଭାଗ ଏବଂ ୬ ଜଣ ହିତାଧିକାରୀଙ୍କୁ ଡମି ଚେକ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏ.ଆଇ. ଟେକ୍ନିସିଆନ୍ ଏଲିନା ସିଂ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ସଞ୍ଜୟ କଳସାଇ, ଦିନେଶ ନାଏକ, ଦେବେନ୍ଦ୍ର ପୂଜାରୀ, ପ୍ରତାପ ଯୁଆଡ଼, ମାନବେଶ ମହାପାତ୍ର ଓ ଅରବିନ୍ଦ ଟୁଙ୍ଗ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା ସହ ବିଧାୟକ ପ୍ରତିନିଧି ଶ୍ରୀ ନାଏକ ବିଭାଗୀୟ ଅବ୍ୟବସ୍ଥାକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି। ସଭାମଞ୍ଚ ଓ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ ଅଭିଯୋଗ କରିଛନ୍ତି ଯେ, ବ୍ଲକ୍‌ରେ ମତ୍ସ୍ୟ ଅଧିକାରୀଙ୍କୁ କେବେକେମିତି ମାସକୁ କିମ୍ବା ବର୍ଷକୁ ଥରେ ମାତ୍ର ଦେଖିବାକୁ ମିଳୁଛି ଏବଂ କ୍ଷେତ୍ରକୁ ନଯାଇ ଅଧିକାରୀମାନେ ଲୋକଙ୍କୁ ଯୋଜନା ବୁଝାଇବେ କିପରି। ସେହିପରି ପ୍ରାଣିସମ୍ପଦ ବିଭାଗର ବହୁ ପଞ୍ଚାୟତ ସ୍ତରୀୟ ଅଧିକାରୀ ଓ ବ୍ଲକ୍ ପ୍ରାଣୀ ଅଧିକାରୀ ଠିକ୍ ଭାବେ କାର୍ଯ୍ୟରେ ଆସୁନଥିବା ସେ ଦର୍ଶାଇଛନ୍ତି। ଗାଇ, ବଳଦ କିମ୍ବା ଛେଳି ରୋଗାକ୍ରାନ୍ତ ହେଲେ ଅଫିସ ଖୋଲା ନଥିଲେ ବା ଅଧିକାରୀ ନଥିଲେ ତୁରନ୍ତ ଚିକିତ୍ସା ଅଭାବରୁ ପଶୁ ମୃତ୍ୟୁବରଣ କଲେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିସହ ବ୍ଲକ୍‌ର ବିଭିନ୍ନ ଏଲ୍.ଆଇ. ସେଣ୍ଟରରେ ନିଜସ୍ୱ ଗୃହ ନଥିବାରୁ ତୁରନ୍ତ ଗୃହ ନିର୍ମାଣ ଏବଂ ଏଲ୍.ଆଇ. ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। କେବଳ ମେଳା ଆୟୋଜନ ନକରି ଅଧିକାରୀମାନେ ପ୍ରଥମେ ନିଜ କର୍ତ୍ତବ୍ୟ ପାଳନ କରିବା ସହ ବ୍ଲକ୍ ବୈଠକରେ ମଧ୍ୟ ନିୟମିତ ଉପସ୍ଥିତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପଟେ, ମେଳାରେ କେଉଁ ଏସ୍.ଏଚ୍.ଜି. ଗୋଷ୍ଠୀ ପ୍ରକୃତରେ ଉପକୃତ ହୋଇଛନ୍ତି ଏବଂ ହିତାଧିକାରୀ କିପରି ଚିହ୍ନଟ ହେଉଛନ୍ତି, ତାହା ସ୍ପଷ୍ଟ ହେଉନାହିଁ। ଅଞ୍ଚଳରେ ବହୁ ଯୋଜନା କେବଳ ନାମକୁ ମାତ୍ର ରହିଥିବା ବେଳେ ବିରିକୋଟ ଓ କାଠକୁରା ଭଳି ଗ୍ରାମରେ କୁକୁଡ଼ା ଘର ନିର୍ମାଣ ହୋଇଥିଲେ ହେଁ ସେଠାରେ କୁକୁଡ଼ା ନଥିବା ଅଭିଯୋଗ ହୋଇଛି। କେତେକ ସ୍ଥାନରେ ଘର ଉପରେ ଘର ନିର୍ମାଣ ହେଉଥିବା ବେଳେ କୁକୁଡ଼ା ଗଲା କୁଆଡ଼େ ଏବଂ ବିଭାଗୀୟ ଅଧିକାରୀମାନେ ଏସବୁ ଜାଣି ନଥିଲେ କି ବୋଲି ପ୍ରଶ୍ନ ଉଠିଛି। ସରକାର ଡିଜିଟାଲ୍ ଯୁଗ କଥା କହୁଥିଲେ ହେଁ ଥୁଆମୂଳ ରାମପୁର ବ୍ଲକ୍‌ର ବହୁ ଗ୍ରାମରେ ଆଜିବି ନେଟୱର୍କ ସମସ୍ୟା ଲାଗି ରହିଛି। ଗରିବ ଚାଷୀଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବା କିମ୍ବା ଫୋନ୍ କିଣିବାର ଆର୍ଥିକ ସକ୍ଷମତା ନଥିବାରୁ ସେମାନେ କିପରି ଅନଲାଇନରେ ଆବେଦନ କରିବେ ବୋଲି ପ୍ରଶ୍ନ ଉଠାଇବା ସହ ସମସ୍ତ ଯୋଜନାକୁ ସମ୍ପୂର୍ଣ୍ଣ ଅଫଲାଇନରେ ଗ୍ରହଣ କରିବାକୁ ଦାବି କରାଯାଇଛି। ବିଭାଗରେ ଅଧିକାରୀ ନଥିବାରୁ ସାଧାରଣ ଲୋକ ଓ ଚାଷୀମାନେ ଆବେଦନ କିମ୍ବା ଅଭିଯୋଗ କାହାକୁ କରିବେ, ତାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ମିଥୁଲା ନାଏକ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ