ଖବର ସମସ୍ତଙ୍କୁ ଦରକାର, କିନ୍ତୁ ଖବର ପଛରେ ଖର୍ଚ୍ଚ କରିଵାକୁ କେତେଜଣ ପ୍ରସ୍ତୁତ?
ସାମ୍ବାଦିକତାକୁ ଆମେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହୁ । ଜଣେ ନିର୍ଭୀକ ସାମ୍ବାଦିକ କ୍ଷମତାକୁ ପ୍ରଶ୍ନ କରିଵେ, ଦୁର୍ନୀତିର ପର୍ଦ୍ଦାଫାସ କରିଵେ, ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିଵେ ଏଵଂ ଲୁକ୍କାୟିତ ସତ୍ୟକୁ ଲୋକଲୋଚନକୁ ଆଣିଵେ । କିନ୍ତୁ ଏହି କାର୍ଯ୍ୟ କରୁଥିଵା ସାମ୍ବାଦିକଟିଏ ବଞ୍ଚିଵ କେମିତି? ଆଜିର ସାମ୍ବାଦିକତା ଏକ ଅଜବ ଦ୍ୱନ୍ଦ୍ୱ ଦେଇ ଗତି କରୁଛି । ଗୋଟିଏ ପଟେ ବଡ଼ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସରକାରୀ ଵିଜ୍ଞାପନ, କର୍ପୋରେଟ୍ ସ୍ୱାର୍ଥ ଓ ରାଜନୈତିକ ପ୍ରଭାଵ ମଧ୍ୟରେ ନିଜର ଆର୍ଥିକ ସ୍ଥିତି ବଜାୟ ରଖିଵାକୁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ସ୍ୱାଧୀନ ସାମ୍ବାଦିକତା (Independent Journalism) କରୁଥିଵା ଵ୍ୟକ୍ତିଟିଏ ନିଜ ସ୍ୱାଭିମାନ ଓ ନିରପେକ୍ଷତା ବଜାୟ ରଖିଵାକୁ ଯାଇ ଆର୍ଥିକ ଅନିଶ୍ଚିତତା ସହ ଲଢ଼ୁଛନ୍ତି । ଏଠାରେ ଆଉ ଏକ ଵାସ୍ତଵତା ରହିଛି । ସୋସିଆଲ ମିଡ଼ିଆରେ ଖବର ପ୍ରସାରଣ ପାଇଁ ଆଜି ଡିଗ୍ରୀ କିମ୍ବା ବଡ଼ ଗଣମାଧ୍ୟମ ସଂସ୍ଥାର ଆଵଶ୍ୟକତା ନାହିଁ । ବ୍ଲଗର୍ ଓ ଇନ୍ଫ୍ଲୁଏନ୍ସରମାନେ ମଧ୍ୟ କିଛି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରୁଛନ୍ତି । କିନ୍ତୁ ଖବର ପ୍ରସାରଣ ଓ ସାମ୍ବାଦିକତା ଏକା କଥା ନୁହେଁ । ଖବର ଦେଖାଇବା ସହଜ, କିନ୍ତୁ ଖବର ପଛରେ ଥିବା ସତ୍ୟକୁ ଖୋଜିବା କଷ୍ଟକର । ଗୋଟିଏ ଵିଡିଓ କରିଵା ସହଜ, କିନ୍ତୁ ଗୋଟିଏ ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ପହଞ୍ଚିଵା ପାଇଁ ତଥ୍ୟ ସଂଗ୍ରହ, ଦଲିଲ ଯାଞ୍ଚ, ଅନୁସନ୍ଧାନ, ସମୟ ଓ ସାହସ ଆଵଶ୍ୟକ । ପ୍ରକୃତ ସାମ୍ବାଦିକତାର ପରିଚୟ ଲାଇକ୍, ଵ୍ୟୁଜ୍ କିମ୍ବା ଟିଆରପି ନୁହେଁ; ଵରଂ କ୍ଷମତାକୁ ପ୍ରଶ୍ନ କରିଵାର ସାହସ ଓ ସତ୍ୟ ପ୍ରତି ନିଷ୍ଠା । କିନ୍ତୁ ଆମ ପାଠକ ଓ ଦର୍ଶକଙ୍କ ମଧ୍ୟ ଆତ୍ମସମୀକ୍ଷା ଆଵଶ୍ୟକ । ଆମେ ମାଗଣାରେ ଖବର ପଢ଼ିଵାକୁ ଚାହୁଁ, ମାଗଣାରେ ଵିଡିଓ ଦେଖିଵାକୁ ଚାହୁଁ, ଘଣ୍ଟା ଘଣ୍ଟା ଧରି ସାମ୍ବାଦିକଙ୍କ ପରିଶ୍ରମର ଫଳ ଉପଭୋଗ କରୁ । କିନ୍ତୁ ସେହି ଖବର ପ୍ରସ୍ତୁତ କରିଵା ପଛରେ ଥିଵା ଖର୍ଚ୍ଚ ଓ ପରିଶ୍ରମକୁ ସମର୍ଥନ କରିଵାକୁ ଆଗେଇ ଆସୁନାହୁଁ । ଆମେ ଯଦି ଭଲ ସାମ୍ବାଦିକତା ଚାହୁଁ, ତେବେ ତାହାକୁ ବଞ୍ଚାଇ ରଖିଵାରେ ମଧ୍ୟ ଆମର ଭାଗିଦାରୀ ରହିଵା ଉଚିତ । ସଦସ୍ୟତା ଗ୍ରହଣ, ଯଥାସମ୍ଭବ ଆର୍ଥିକ ସହଯୋଗ, ଭଲ ଖବରକୁ ପ୍ରୋତ୍ସାହନ ଓ ନିର୍ଭୀକ ସାମ୍ବାଦିକଙ୍କ ପଛରେ ଠିଆ ହେଵା ଆମର ସାମାଜିକ ଦାୟିତ୍ୱ । ସାମ୍ବାଦିକମାନେ ମଧ୍ୟ ଲୋକପ୍ରିୟତାର ମାୟାଜାଲରୁ ଵାହାରି ସତ୍ୟ ଅନୁସନ୍ଧାନ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତୁ । ଯେଉଁ ସମାଜ ଭଲ ସାମ୍ବାଦିକତା ଚାହେଁ, କିନ୍ତୁ ଭଲ ସାମ୍ବାଦିକଙ୍କୁ ବଞ୍ଚିଵାର ସୁଯୋଗ ଦିଏନାହିଁ, ସେହି ସମାଜ ଦିନେ ସତ୍ୟ ଖବର ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ହୋଇପଡ଼ିଵ । ସାମ୍ବାଦିକତା ବଞ୍ଚିଲେ ଗଣତନ୍ତ୍ରର ସ୍ୱର ବଞ୍ଚିଵ । ଆଉ ସାମ୍ବାଦିକ ବଞ୍ଚିଲେ ହିଁ ସାମ୍ବାଦିକତା ବଞ୍ଚିଵ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0