ଆଦିବାସୀ ଯୁବକଙ୍କୁ ବନବିଭାଗର ମାଡ଼ ଅଭିଯୋଗ।ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବି କଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି

Nov 15, 2026 - 22:38
 0  4
ଆଦିବାସୀ ଯୁବକଙ୍କୁ ବନବିଭାଗର ମାଡ଼ ଅଭିଯୋଗ।ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବି କଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି

ବାରିପଦା -- ଆଦିବାସୀଙ୍କ ସୁରକ୍ଷା, ଅଧିକାର ଓ ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କୁ ବନବିଭାଗର କର୍ମଚାରୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇନର ରକ୍ଷକ ଭାବେ ପରିଚିତ ବନବିଭାଗର କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଓ ମାନବିକ ଅଧିକାରକୁ ନେଇ ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି।ମିଳିଥିବା ଅଭିଯୋଗ ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତର ତାଳବନ୍ଧ ରେଞ୍ଜ ଅଞ୍ଚଳରେ ରାମଦାସ ଟୁଡୁ ନାମକ ଜଣେ ଆଦିବାସୀ ଯୁବକଙ୍କୁ ବନବିଭାଗର କିଛି ଅଧିକାରୀ ଓ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।ଅଭିଯୋଗ ଅନୁସାରେ, ଯୁବକଙ୍କୁ ଆଇନସମ୍ମତ ଭାବେ ପଚରାଉଚରା କିମ୍ବା ତଦନ୍ତ କରିବା ପରିବର୍ତ୍ତେ ତାଙ୍କୁ ମାଡ଼ ମରାଯାଇଛି। ତେବେ ଘଟଣାର ପ୍ରକୃତ କାରଣ କ'ଣ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।ଏହି ଘଟଣାକୁ ନେଇ ଆଉ ଏକ ଗୁରୁତର ପ୍ରସଙ୍ଗ ସାମ୍ନାକୁ ଆସିଛି। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ହାତରେ ହାତକଡ଼ି ଲଗାଯାଇଥିବା ନେଇ ଅଭିଯୋଗ ହୋଇଛି। ଜଣେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ହାତକଡ଼ି ପିନ୍ଧାଇ ରଖିବାର ଆବଶ୍ୟକତା କ'ଣ ଏବଂ ଏହାର ଆଇନଗତ ଆଧାର କ'ଣ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଯୁବକଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି, ତେବେ ଆଇନର ନିର୍ଦ୍ଧାରିତ ପ୍ରକ୍ରିୟାରେ ତାହାର ବିଚାର ହେବା ଉଚିତ। କିନ୍ତୁ ଆଇନକୁ ହାତକୁ ନେଇ କାହାକୁ ମାଡ଼ ମାରିବାର ଅଧିକାର କାହାରି ନାହିଁ ବୋଲି ମତ ପ୍ରକାଶ ପାଇଛି।ଅନ୍ୟପକ୍ଷରେ, ଏହି ଘଟଣାକୁ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ତୀବ୍ର ନିନ୍ଦା କରିଛନ୍ତି। ସେ ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରିବା ସହ ପୀଡ଼ିତ ଯୁବକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି।ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ଯଦି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି, ତେବେ ତାହା ନିୟମ ଅନୁଯାୟୀ ହେବା ଆବଶ୍ୟକ। ଆଇନର ରକ୍ଷକମାନେ ନିଜେ ଯଦି ଆଇନ ଉଲ୍ଲଂଘନ କରିବାର ଅଭିଯୋଗର ସମ୍ମୁଖୀନ ହୁଅନ୍ତି, ତେବେ ସାଧାରଣ ଲୋକଙ୍କ ମନରେ ପ୍ରଶାସନ ପ୍ରତି ଆସ୍ଥା କିପରି ବଜାୟ ରହିବ, ତାହା ଏବେ ବଡ଼ ପ୍ରଶ୍ନ। ତେଣୁ ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରିବା ସହ ଯୁବକଙ୍କ ଉତ୍ତମ ଚିକିତ୍ସା, ସୁରକ୍ଷା ଏବଂ ନ୍ୟାୟ ସୁନିଶ୍ଚିତ କରିବାକୁ ଦାବି ଜୋର ଧରିଛି। ତଦନ୍ତରେ ଯଦି କୌଣସି ବନ କର୍ମଚାରୀଙ୍କ ଦୋଷ ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ। ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ ଓ ବନବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ