ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ଅନୁଷ୍ଠିତ

Jul 17, 2026 - 21:10
 0  2
ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ପ୍ରାଣୀ ସ୍ୱାସ୍ଥ୍ୟସେବା, ପଶୁପାଳନ ଯୋଜନା, ଟିକାକରଣ, ମୋବାଇଲ ପ୍ରାଣୀ ଚିକିତ୍ସା ସେବା, ବନ୍ୟପ୍ରାଣୀ ଉଦ୍ଧାର, ଚାରା ଉତ୍ପାଦନ ଓ ପଶୁପାଳକଙ୍କ ଜୀବିକା ବୃଦ୍ଧି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା, ପ୍ରାଣୀ ଚିକିତ୍ସା ସେବା, ପଶୁପାଳକଙ୍କ ପାଇଁ ଉପଲବ୍ଧ ସୁବିଧା ଓ ବିଭାଗୀୟ କାର୍ଯ୍ୟକ୍ରମର ସାମଗ୍ରିକ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ସମୀକ୍ଷାରେ ଜଣାପଡ଼ିଥିଲା ଯେ, ମୁଖ୍ୟମନ୍ତ୍ରୀ ମୋବାଇଲ ପ୍ରାଣୀ ଚିକିତ୍ସା ସେବା ଅଧୀନରେ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଜିଲ୍ଲାର ପାଞ୍ଚଟି ବ୍ଲକରେ ୨୫୩ ଦିନ ସେବା ପ୍ରଦାନ କରାଯାଇ ୫୦୩ଟି ଗ୍ରାମକୁ ସେବା ପହଞ୍ଚାଯାଇଛି । ଏହି ଅବଧିରେ ୧୯,୨୩୭ଟି ପ୍ରାଣୀର ଚିକିତ୍ସା, ୨୧,୮୦୦ଟି ଟିକାକରଣ, ୨୩୪ଟି ସଚେତନତା ଶିବିର ଏବଂ ୧,୦୩୮ଟି ତତ୍କାଳୀନ ପାଥୋଲୋଜିକାଲ ପରୀକ୍ଷା କରାଯାଇଛି। ଚିକିତ୍ସା, ସଚେତନତା ଓ ସେବା ପହଞ୍ଚାଇବା କ୍ଷେତ୍ରରେ ଜିଲ୍ଲା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ସଫଳତା ହାସଲ କରିଥିବା ବୈଠକରେ ସୂଚନା ଦିଆଯାଇଥିଲା। ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NADCP) ଅଧୀନରେ ଖୁରା-ମୁହଁ ରୋଗ (FMD), ପିପିଆର (PPR), ଲମ୍ପି ସ୍କିନ୍ ଡିଜିଜ୍ (LSD) ଓ ଅନ୍ୟାନ୍ୟ ରୋଗ ପ୍ରତିରୋଧ ପାଇଁ ବ୍ୟାପକ ଟିକାକରଣ କରାଯାଇଥିବା ବେଳେ FMD ଫେଜ୍-୮ ଅଧୀନରେ ୧,୧୪,୩୪୨ଟି ପଶୁଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ସହ PPR କାର୍ଯ୍ୟକ୍ରମ ଜାରି ରହିଥିବା ସୂଚନା ଦିଆଯାଇଥିଲା। ବିଭାଗ ପକ୍ଷରୁ ପରିବର୍ଦ୍ଧିତ ଜନ ଜନଶୁଣାଣି ଉପଲକ୍ଷେ ପ୍ରତି ସୋମବାର ଆୟୋଜିତ ହେଉଥିବା ଗ୍ରାମସ୍ତରୀୟ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଏପର୍ଯ୍ୟନ୍ତ ୬୦ଟି ଶିବିରରେ ୭,୪୮୨ଟି ପ୍ରାଣୀର ଚିକିତ୍ସା କରାଯାଇଥିବା ବେଳେ ୨,୩୩୧ ଜଣ ପଶୁପାଳକ ଉପକୃତ ହୋଇଥିବା ବୈଠକରେ ଅବଗତ କରାଯାଇଥିଲା। ବୈଠକରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ଯେ, ନୂଆପଡ଼ା ବ୍ଲକରେ ଏକ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର କରାଯାଇ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଇଥିଲା। ସେହିପରି କିନେରକେଲା ଗ୍ରାମରୁ ବେକରେ ତାର ବାଡ଼ ଫସିଯାଇଥିବା ଏକ ଜଙ୍ଗଲୀ ଭାଲୁକୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ସଫଳତାର ସହ ପୁନର୍ବାସ କରାଯାଇଥିବା ସୂଚନା ଦିଆଯାଇଥିଲା। ସମୀକ୍ଷା ବେଳେ ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ଯୋଜନାର ଗୁଣାତ୍ମକ ଓ ସମୟବଦ୍ଧ କାର୍ଯ୍ୟକାରିତା, ପଶୁପାଳକଙ୍କୁ ସରକାରୀ ସୁବିଧାର ସଠିକ୍ ପହଞ୍ଚ, ପଶୁ ରୋଗ ନିୟନ୍ତ୍ରଣ ପାଇଁ ବ୍ୟାପକ ଟିକାକରଣ, ଗ୍ରାମାଞ୍ଚଳରେ ପ୍ରାଣୀ ସ୍ୱାସ୍ଥ୍ୟ ସେବାର ଅଧିକ ସମ୍ପ୍ରସାରଣ ଏବଂ ଜୀବିକାମୂଳକ ପଶୁପାଳନକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ପ୍ରାଣୀ ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନୂଆପଡ଼ା ବ୍ଲକ ଧାମପୁରୀ ଗ୍ରାମର ତ୍ରିବେଣୀ ସାହୁ, କୋମନା ବ୍ଲକ ତରବୋଡ଼ ଗ୍ରାମର ସୁନୀତା ଆହୀର (ଗୋପାଳନ ଯୋଜନା), ସିନାପାଲି ବ୍ଲକ ଗମ୍ଭାରୀଗୁଡ଼ାର ନୀଳେନ୍ଦ୍ରୀ ମେହେର, ଖଡ଼ିଆର ବ୍ଲକ ଚାନାବେଡ଼ା ଗ୍ରାମର ମିଳନ ତାଣ୍ଡି ଏବଂ ବୋଡ଼େନ ବ୍ଲକ ସୁନାପୁର ଗ୍ରାମର ଗୁଣମତୀ ଭୋଇଙ୍କୁ ବ୍ରଏଲର କୁକୁଡ଼ା ପାଳନ ଯୋଜୋନରେ ସମ୍ମାନିତ କରାଯାଇଥିଲା। ସେମାନେ ସରକାରୀ ଯୋଜନାର ସହାୟତାରେ ଆଧୁନିକ ପଶୁପାଳନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପନିର୍ଦ୍ଦେଶକ (ପଶୁ ଚିକିତ୍ସା) ଡ଼ା. କେ. ପାର୍ଥସାରଥୀ ଦୋରା, ଡ଼ା. ସିମ୍ଫୋନୀ ମହାନ୍ତି, ସହକାରୀ ନିର୍ଦ୍ଦେଶକ (ପ୍ରାଣୀ ଚିକିତ୍ସା), ସମସ୍ତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଓ ପ୍ରଗତିଶୀଳ ପଶୁପାଳକମାନେ ଉପସ୍ଥିତ ଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ