ମୟୂରଭଞ୍ଜରେ ଜନଗଣନା–୨୦୨୭ ପାଇଁ ଚାର୍ଜ ଜନଗଣନା ଅଧିକାରୀମାନଙ୍କର ହସ୍ତପୁସ୍ତିକା ପ୍ରସ୍ତୁତି ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଅନୁଷ୍ଠିତ

Jul 9, 2026 - 21:11
 0  2
ମୟୂରଭଞ୍ଜରେ ଜନଗଣନା–୨୦୨୭ ପାଇଁ ଚାର୍ଜ ଜନଗଣନା ଅଧିକାରୀମାନଙ୍କର ହସ୍ତପୁସ୍ତିକା ପ୍ରସ୍ତୁତି ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଅନୁଷ୍ଠିତ

ବାରିପଦା, (୦୮/୦୭): ଜନଗଣନା–୨୦୨୭ର ସଫଳ ଓ ସୁଚାରୁ ରୂପାୟନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଜନଗଣନା ହସ୍ତପୁସ୍ତିକା ପ୍ରସ୍ତୁତି ପାଇଁ ଚାର୍ଜ ଜନଗଣନା ଅଧିକାରୀ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ଅମିନ ଏବଂ ବୈଷୟିକ ସହାୟକମାନଙ୍କ ପାଇଁ ପ୍ରଥମ ଦିବସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ବାରିପଦାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜନଗଣନା ପ୍ରକ୍ରିୟାକୁ ସଠିକ୍, ନିର୍ଭୁଲ ଏବଂ ସମୟବଦ୍ଧ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ଅଧିକାରୀ ଶ୍ରୀ ତନ୍ମୟ ଗୁପ୍ତା ଏବଂ ଶ୍ରୀ ସୁଧାଂଶୁ ପାଠକ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଜନଗଣନା ହସ୍ତପୁସ୍ତିକା ପ୍ରସ୍ତୁତିର ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପାଇଁ ପୂର୍ବ ପ୍ରସ୍ତୁତି, ନିର୍ଦ୍ଦିଷ୍ଟ ପତ୍ର ପୂରଣ ପ୍ରକ୍ରିୟା, ଅନଲାଇନ୍ ତଥ୍ୟ ପରିଚାଳନା ଓ ଜନଗଣନା ସମ୍ବନ୍ଧୀୟ ବୈଷୟିକ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଶିକ୍ଷଣ ସମୟରେ ବିଭିନ୍ନ ବ୍ୟବହାରିକ ଉଦାହରଣ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କର ସନ୍ଦେହ ଦୂର କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ ଉପସ୍ଥିତ ରହି ଜନଗଣନା ଦେଶର ଯୋଜନା ପ୍ରସ୍ତୁତି, ପ୍ରଶାସନିକ ନିଷ୍ପତ୍ତି ଏବଂ ସାମାଜିକ-ଆର୍ଥିକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ବୋଲି ଉଲ୍ଲେଖ କରିଥିଲେ । ସେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିର୍ଦ୍ଦେଶାବଳୀକୁ ଯଥାର୍ଥ ଭାବେ ଅନୁସରଣ କରି ସଠିକ୍ ତଥ୍ୟ ସଂଗ୍ରହ ଓ ହସ୍ତପୁସ୍ତିକା ପ୍ରସ୍ତୁତି କାର୍ଯ୍ୟକୁ ଗୁରୁତ୍ୱର ସହ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ । ଉପ-ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀମତୀ ମାନସୀ ତରେଇ ମଧ୍ୟ ଉପସ୍ଥିତ ରହି ପ୍ରଶିକ୍ଷଣର ବିଭିନ୍ନ ବ୍ୟବସ୍ଥାର ତଦାରଖ କରିବା ସହିତ ଜନଗଣନା କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ