ମର୍ଦିଗୁଡ଼ାରେ ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳ ପର୍ଯ୍ୟଟନ ମହୋତ୍ସବ:ବିକାଶ ଓ ଅବହେଳା ପ୍ରସଙ୍ଗରେ ସରକାରଙ୍କୁ ଆହ୍ୱାନ, ମୌଳିକ ସୁବିଧା ଯୋଗାଇବାକୁ ଦାବି
ଥୁଆମୂଳ ରାମପୁର, ୨୪/୧୧ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମର୍ଦିଗୁଡ଼ାଠାରେ ଅବସ୍ଥିତ ମା’ ଇନ୍ଦ୍ରାବତୀଙ୍କ ପବିତ୍ର ଉତ୍ପତ୍ତି ସ୍ଥଳରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦ୍ୱିତୀୟ ବାର୍ଷିକ ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ମହୋତ୍ସବ-୨୦୨୬ ସୋମବାର ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ଉତ୍ପତ୍ତି ସ୍ଥଳର ବିକାଶ, ପର୍ଯ୍ୟଟନ ଭିତ୍ତିଭୂମିର ଅଭାବ ଏବଂ ବିସ୍ଥାପିତ ପରିବାରଙ୍କ ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ‘ମା’ ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳୀ ଯୁବକ ଅନୁଷ୍ଠାନ’, ମର୍ଦିଗୁଡ଼ା ପକ୍ଷରୁ ସଭାପତି ମୋହନ ସିଂ ମାଝୀ ଓ ସମ୍ପାଦକ ତରୁଣ ନାଏକଙ୍କ ନେତୃତ୍ୱରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫଟୋ ସିଂ ଭୋଇ, କୃଷ୍ଣ ଚନ୍ଦ୍ର ନାଏକ, ପୁରୁଷୋତ୍ତମ ନାଏକ, ୱାର୍ଡ ସଭ୍ୟା ରାଣୀ ମାଝୀ, ନାଏବ ସରପଞ୍ଚ ସକଳ ଦେଇ ଜାନୀ, ସମିତି ସଭ୍ୟା ରାଣୀ ନାଏକ, ଲାଳ ନାଏକ, ବରିଷ୍ଠ ସାମ୍ବାଦିକ ମନୋଜ କୁମାର ନାଏକ, ଭରତ ବିଶି, ବିଷ୍ଣୁ ଚରଣ ସ୍ୱାଇଁ, ମୁକୁନ୍ଦ ନାଏକ ଓ ଲାଳଯୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଉତ୍ପତ୍ତି ସ୍ଥଳର ମହତ୍ତ୍ୱ ଓ ଅବହେଳା ସମ୍ପର୍କରେ ମତ ପ୍ରକାଶ କରି କହିଥିଲେ ଯେ, ମା’ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ତିନି ଜଳଧାରା ଏକ ଆମ୍ବଗଛ ମୂଳରୁ ଉତ୍ପତ୍ତି ହୋଇ ଇନ୍ଦ୍ରାବତୀ ନଦୀ ରୂପେ ପ୍ରବାହିତ ହେଉଛି। ଏହି ନଦୀ ନବରଙ୍ଗପୁରଠାରୁ କଳାହାଣ୍ଡି ସମେତ ବିଭିନ୍ନ ଅଞ୍ଚଳର କୃଷି ଓ ଜନଜୀବନକୁ ସମୃଦ୍ଧ କରିଆସୁଛି। ହେଲେ ଦୁଃଖର ବିଷୟ, ଏତେ ମହତ୍ତ୍ୱପୂର୍ଣ୍ଣ ଓ ଐତିହାସିକ ଉତ୍ପତ୍ତି ସ୍ଥଳ ଆଜି ମଧ୍ୟ ବିକାଶରୁ ବଞ୍ଚିତ ହୋଇ ରହିଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ ଗେଷ୍ଟ ହାଉସ୍,
ପାର୍କ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହିତ ଉତ୍ପତ୍ତି ସ୍ଥଳର ସୌନ୍ଦର୍ଯ୍ୟକରଣ କରିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ, ଇନ୍ଦ୍ରାବତୀ ଜଳଭଣ୍ଡାର ଓ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ବିଦ୍ୟୁତ୍, ଜଳସେଚନ ଓ ପାନୀୟ ଜଳ ସୁବିଧା ପାଇ ଉପକୃତ ହେଉଥିବା ବେଳେ ଏହି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଅନେକ ପରିବାରଙ୍କ ସମସ୍ୟା ଏବେ ମଧ୍ୟ ସମାଧାନ ହୋଇପାରିନାହିଁ। ବାସହୀନ ପରିବାରଙ୍କ ଦୁର୍ଦ୍ଦଶା ଏବଂ ଉତ୍ପତ୍ତି ସ୍ଥଳର ଅବହେଳାକୁ ନେଇ ମହୋତ୍ସବରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା। ବିଭିନ୍ନ ସରକାର ଓ ପ୍ରଶାସନ ବଦଳିଥିଲେ ମଧ୍ୟ ମର୍ଦିଗୁଡ଼ା ଉତ୍ପତ୍ତି ସ୍ଥଳର ବିକାଶ ଓ ରୂପରେଖରେ ଆଶାନୁରୂପ ପରିବର୍ତ୍ତନ ହୋଇନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ପତ୍ତି ସ୍ଥଳର ସାମଗ୍ରିକ ବିକାଶ ନହେବା ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ମହୋତ୍ସବ ଆୟୋଜନ କରି ସରକାର ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆୟୋଜକ ଓ ଅତିଥିମାନେ ସଂକଳ୍ପ ନେଇଛନ୍ତି। ଆଗାମୀ ଦିନରେ ଏହି ମହୋତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚିତ କରାଇବା ସହ ମର୍ଦିଗୁଡ଼ାକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ଦାବି ଜୋରଦାର ହୋଇଛି। ଏବେ ଦେଖିବାକୁ ବାକି ରହିଲା, ମହୋତ୍ସବର ଏହି ଆହ୍ୱାନ ପରେ ସରକାର ଓ ପର୍ଯ୍ୟଟନ ବିଭାଗ କେବେ ମର୍ଦିଗୁଡ଼ା ପ୍ରତି ଦୃଷ୍ଟି ଦେଉଛନ୍ତି।
ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ମିଥୁଲା ନାଏକ ଙ୍କ ସହ ଅଫିସ କର୍ମଚାରୀ ମକୁନ୍ଦ ନାଏକ ଙ୍କ ରିପୋର୍ଟ FIRST NEWS ODISHA
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0