ଭଞ୍ଜପୁର ଥାନା ତରଫରୁ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବାରିପଦା: (ଗୌର ଦାସ ଗିରି )ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ “ସାଇବର ସେଫ୍ଟି ଆଣ୍ଡ ସିକ୍ୟୁରିଟି କ୍ୟାମ୍ପେନ୍ ଓଡ଼ିଶା - 2026” ଅଧୀନରେ ଭଞ୍ଜପୁର ଥାନା ତରଫରୁ ଅଗଷ୍ଟ ୧୧ତାରିଖ ମଂଗଳବାର ଦିନ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଠକେଇ, ସୋସିଆଲ ମିଡିଆର ଅପବ୍ୟବହାର, ସାଇବର ଅପରାଧ ଏବଂ ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା। କାର୍ଯ୍ୟକ୍ରମରେ ଭଞ୍ଜପୁର ଥାନାର ଭାରପ୍ରାପ୍ତ ପୋଲିସ ଇନସ୍ପେକ୍ଟର ରଶ୍ମିରଂଜନ ପୃଷ୍ଟି ,ସବ୍-ଇନସ୍ପେକ୍ଟର ଚନ୍ଦନ କୁମାର ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ଯୋଗଦେଇ ସାଇବର ଅପରାଧର ବିଭିନ୍ନ ଦିଗ ଏବଂ ତା’ର ପ୍ରତିକାର ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେମାନେ ଛାତ୍ରଛାତ୍ରୀମାନଙ୍କୁ OTP ଶେୟାର ନ କରିବା, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ଏବଂ ସାଇବର ଠକେଇର ଶିକାର ହେଲେ ତୁରନ୍ତ 1930 ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସଭାପତି ଇଞ୍ଜିନିୟର ପ୍ରଭାସ କୁମାର ଦାସ, ଅଧ୍ୟକ୍ଷା ଶ୍ରୀମତୀ ଅଙ୍କିତା ବାରିକ ଏବଂ ଶୈକ୍ଷିକ ମୁଖ୍ୟ ଡ. ଆଦର୍ଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭଞ୍ଜପୁର ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ବର୍ଷର ଶତାଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପକୃତ ହୋଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0